୨୧ରେ ନିଟ୍ ପିଜି ପରୀକ୍ଷା
ସ୍ଥଗିତ ରଖିବା ଆବେଦନ ଖାରଜ
ନୂଆଦିଲ୍ଲୀ, ୧୩ା୫: ନିଟ୍ ପିଜି ୨୦୨୨ ପରୀକ୍ଷାକୁ ସ୍ଥଗିତ ରଖିବା ସମ୍ପର୍କିତ ଆବେଦନକୁ ସୁପ୍ରିମ୍କୋର୍ଟ ଶୁକ୍ରବାର ଖାରଜ କରିବା ସହ ଚଳିତ ମାସ ୨୧ ତାରିଖ ଦିନ ପରୀକ୍ଷା ଆୟୋଜନ କରିବା ଲାଗି ଫଇସଲା ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତ୍ତମାନ ସମୟରେ ପରୀକ୍ଷା ସ୍ଥଗିତ ରଖିଲେ କେବଳ ଅରାଜକତା ଓ ଅନିଶ୍ଚିତତା ସୃଷ୍ଟି ହେବ । ତା’ଛଡ଼ା ରୋଗୀ ସେବା ମଧ୍ୟ ପ୍ରଭାବିତ ହେବ । ପୁନଶ୍ଚ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେବ ।
ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିଲା । ଏହି ମର୍ମରେ ମଧ୍ୟ ଆଇଏମ୍ଏ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାବ୍ୟାଙ୍କୁ ପତ୍ର ଦେଇଥିଲା । ସୁପ୍ରିମ୍କୋର୍ଟରେ ଆଇଏମ୍ଏ ପକ୍ଷରୁ ଦିଆଯାଇଥିବା ପିଟିସନରେ ଦର୍ଶାଯାଇଥିଲା ଯେ ୨୦୨୧ର ମେଡ଼ିକାଲ ପିଜି ପ୍ରବେଶ ପ୍ରକ୍ରିୟା ଏପର୍ଯ୍ୟନ୍ତ ଜାରି ରହିଥିବା ଦୃଷ୍ଟିରୁ ୨୦୨୨ର ପରୀକ୍ଷାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଉ ।