ଓଡ଼ିଶା ତୃତୀୟ ସର୍ବାଧିକ

ଜଙ୍ଗଲ ଅଭିବୃଦ୍ଧି
ଭୁବନେଶ୍ୱର (ବୁ୍ୟରୋ): ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ୍ ରିପୋର୍ଟ-୨ଠ୨୧ ଅନୁସାରେ ମହାମାରୀର କଠିନ ସ୍ଥିତି ସତ୍ତ୍ୱେ ଗତ ଦୁଇବର୍ଷରେ ଆମର ଜଙ୍ଗଲ ପରିସୀମାରେ ଉନ୍ନତି ଆସିଛି । ଦେଶରେ ଆମେ ସର୍ବାଧିକ ହେନ୍ତାଳ ବନ ସାମିଲ୍ କରିପାରିଛୁ । ୨ଠ୧୯-୨୧ ମଧ୍ୟରେ ସମୁଦାୟ ଜଙ୍ଗଲ ଅଭିବୃଦ୍ଧିରେ ତୃତୀୟ ସର୍ବାଧିକ । ଏହା ଆମ ଲୋକ, ବନ କର୍ମଚାରୀ ଏବଂ ଭିଏସ୍ଏସ୍ ସଦସ୍ୟଙ୍କ ନିରନ୍ତର ସମର୍ଥନ ଯୋଗୁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଦୁଇଦିନିଆ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ । ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ ନିିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ କରିବାକୁ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେ କହିଛନ୍ତି, ଜଙ୍ଗଲ ସୀମାନ୍ତ ଗ୍ରାମରେ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବନୀକରଣ ହେଉଛି ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ପାଇଁ ବିହନ ବୁଣିବାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଡ଼ିବାକୁ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ୫-ଟି ଉପକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ କୁହାଯାଇଛି । ମଣିଷ-ହାତୀ ଲଢ଼େଇ, ବନ୍ୟଜନ୍ତୁ ଚାଲାଣ ଏବଂ ଜଙ୍ଗଲ ନିଆଁ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଚିନ୍ତାର ବିଷୟ । ଏପରି ମାମଲା ହ୍ରାସ କରିବା ପାଇଁ ସମନ୍ୱିତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ତେବେ ଜଙ୍ଗଲ ପରିଚାଳନାରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଗତବର୍ଷ ତୁଳନାରେ ଚଳିତବର୍ଷ ଜଙ୍ଗଲ ନିଆଁ ୫ଠ ପ୍ରତିଶତ କମାଯାଇପାରିଥିବା ସେ ସୂଚନା ଦେଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଗତ ୨ଠରୁ ୨୫ ବର୍ଷ ହେଲା ରାଜ୍ୟର ସବୁଜ ପରିସୀମାରେ କ୍ରମାଗତ ବୃଦ୍ଧି ହେଉଛି । ଜଙ୍ଗଲ ବିଭାଗର ଅତିିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଏଠାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପିସିସିଏଫ୍ ଶିଶିର କୁମାର ରଥୋ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଜଙ୍ଗଲ ନିଆଁ ପରିଚାଳନା ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *