୨୭ରେ କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର,୧୩ା୫(ବୁ୍ୟରୋ): ଏବର୍ଷ ଆଗୁଆ ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୭ ତାରିଖରେ କେରଳ ମୌସୁମୀ ପହଞ୍ଚିବ । ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିଥାଏ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଆକଳନକୁ ଯଦି ଧରାଯାଏ, ତାହେଲେ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଚଳିତ ବର୍ଷ ମେ’ ୨୭ରେରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ । ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ । ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିପାରେ । ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଏଥର ଏହା ସ୍ୱାଭାବିକ ରହିବ ।
୨୦୦୫ରୁ ୨୦୨୧ ଅର୍ଥାତ ୧୭ ବର୍ଷ ମଧ୍ୟରେ ୨୦୧୫କୁ ଛାଡ଼ିଦେଲେ ଆଇଏମଡି ଆକଳନ ପ୍ରାୟ ସଠିକ୍ ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦୧୭ରେ ମେ ୩୦, ୨୦୧୮ରେ ମେ ୨୯, ୨୦୧୯ରେ ୮ଜୁନ, ୨୦୨୦ରେ ଜୁନ୍ ୧ ଏବଂ ୨୦୨୧ରେ ଜୁନ୍ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଏବର୍ଷ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଅଳ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ଏପ୍ରିଲ ୧୪ରେ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଥିଲା । ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ । ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତରପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ଉତ୍ତରପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣପୂର୍ବ ଭାଗରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦୀର୍ଘ ମିଆଦି ସମୟ(ଏଲପିଏ)ରେ ୯୯% ବର୍ଷା ହେବାର ସମ୍ଭାବନା ରହିଛି । ଏହାର ୫% କମ୍ କିମ୍ବା ବେଶୀ ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ ।
୨୦୧୦ ମସିହା ପରେ ପ୍ରଥମ ଥର ପାଇଁ ଏତେ ଶୀଘ୍ର ମୌସୁମୀ କେରଳରେ ପ୍ରବେଶ କରିବାକୁ ଯାଉଛି । ଗତବର୍ଷ ଜୁନ୍ ୩ ତାରିଖ ଦିନ ମୌସୁମୀ ପ୍ରବାହ କେରଳରୁ ଆରମ୍ଭ ହୋଇଥିଲା । ୨୦୨୦ରେ ମୌସୁମୀ ଆସିଥିଲା ଜୁନ୍ ୧ରେ । ୨୦୧୯ରେ କେରଳରେ ମୌସୁମୀ ପ୍ରବେଶ ୭ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୮ରେ ହୋଇଥିଲା ।