ଇତିହାସ ରଚିଲା ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଟିମ୍

୪୩ ବର୍ଷ ପରେ ସେମିରେ ପ୍ରବେଶ
ବ୍ୟାଙ୍କକ୍,୧୩ା୫ (ଏଜେନ୍ସି): ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଟିମ୍ ଥୋମାସ୍ କପ୍ରେ ଇତିହାସ ରଚିଛି । ୪୩ ବର୍ଷ ପରେ ଭାରତ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍ରେ ପ୍ରବେଶ କରିପାରିଛି । ଏହା ପୂର୍ବରୁ ୧୯୭୯ରେ ଶେଷ ଥର ପାଇଁ ସେମି ଫାଇନାଲ୍ରେ ପହଞ୍ଚି ଏଥିସହ ଭାରତର ପଦକ ପକ୍କା ହୋଇଯାଇଛି । ପୂର୍ବରୁ ଭାରତ ଇଣ୍ଟର-ଜୋନାଲ୍ ଫାଇନାଲ୍ରେ ପହଞ୍ଚି ତିନି କାଂସ୍ୟ ପଦକ ଜିତିଥିଲା । ଭାରତ ରୋମାଞ୍ଚକ କ୍ୱାର୍ଟର ଫାଇନାଲ୍ରେ ମାଲେସିଆକୁ ୩-୨ରେ ପରାସ୍ତ କରି ସେମି ଫାଇନାଲ୍ରେ ପ୍ରବେଶ କରିପାରିଛି ।
୫ ଥର ଚାମ୍ପିଅନ୍ସିପ୍ ହୋଇଥିବା ମାଲେସିଆ ବିପକ୍ଷରେ ବିଶ୍ୱର ୮ନମ୍ବର ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡିଙ୍କ ଯୋଡ଼ି, ବିଶ୍ୱ ଚାମ୍ପିଅନ୍ସିପ୍ର ରୌପ୍ୟ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତ ଏବଂ ଏଚ୍ଏସ୍ ପ୍ରଣୟଙ୍କୁ ବିଜୟ ମିଳିଛି । ବିଶ୍ୱ ଚାମ୍ପିଅନ୍ସିପ୍ର କାଂସ୍ୟ ବିଜେତା ଲକ୍ଷ ସେନ୍ଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୪୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍ରେ ଲକ୍ଷ୍ୟଙ୍କୁ ବିଶ୍ୱ ଚାମ୍ପିଅନ୍ ଲି ଜୀ ଜିୟାଙ୍କ ବିପକ୍ଷରେ ୨୧-୨୩ ୯-୨୧ରେ ପରାସ୍ତ ହେବାକୁ ପଡ଼ିଥିଲା ।
ଦ୍ୱିତୀୟ ମ୍ୟାଚ୍ରେ ଚିରାଗ ଏବଂ ସାତ୍ତ୍ୱିକସାଇରାଜଙ୍କ ଯୋଡ଼ି ଭଲ ପ୍ରଦର୍ଶନ କରି ବିଶ୍ୱର ୧୩ ନଂ ଖେଳାଳି ଗୋହ ସେ ଫି ଏବଂ ନୁର୍ ଇଜୁଦ୍ଦିନ୍ଙ୍କୁ ୨୧-୧୯ ୨୧-୧୫ରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଏହି ଇଭେଣ୍ଟକୁ ୧-୧ରେ ବଳବତ୍ତର ରଖିଥିଲେ । ଶ୍ରୀକାନ୍ତ ଏହା ପରେ ନିଜର ଖେଳ ଦ୍ୱାରା ବିଶ୍ୱର ୪୬ ନଂ ଏନଜୀ ଜୈ ଯୋଙ୍ଗଙ୍କୁ ୨୧-୧୧ ୨୧-୧୭ରେ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ ରଖିଥିଲେ । ବିଶ୍ୱ ମାନ୍ୟତାରେ ୪୫ତମ ସ୍ଥାନରେ କାବିଜ୍ କୃଷ୍ଣା ପ୍ରସାଦ ଗରାଗା ଏବଂ ବିଷ୍ଣୁବର୍ଦ୍ଧନ ଗୌଡ଼ ପଞ୍ଜାଳାଙ୍କ ଯୋଡ଼ିକୁ ଆରୋନ୍ ଚିୟା ଏବଂ ଟିଓ ଇ ୟୀଙ୍କ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ଏହାପରେ ଭାରତକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବା ଦାୟିତ୍ୱ ପ୍ରଣୟଙ୍କ ଉପରେ ନ୍ୟସ୍ତ ହେଲା । ବିଶ୍ୱ ର୍ୟାଙ୍କିଂର ୨୩ତମ ସ୍ଥାନରେ ପ୍ରଣୟ ଆରମ୍ଭରେ ୧-୬ରେ ପଛୁଆ ରହିଥିଲେ ମଧ୍ୟ ୨୨ ବର୍ଷୀୟ ହୁନ୍ ହାୟୋ ଲେୟୋଙ୍ଗଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨୧-୧୩ ୨୧-୮ ବିଜୟ ସହ ଭାରତର ପଦକ ଧାର୍ଯ୍ୟ କରିଛନ୍ତି । ଭାରତ ସେମି ଫାଇନାଲ୍ରେ ଦକ୍ଷିଣ କୋରିଆ ଓ ଡେନ୍ମାର୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବିଜେତାକୁ ସାମ୍ନା କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *