ରଥ ନିର୍ମାଣ ଲାଗି ରଥଖଳାରେ ୧୪୯ ଜଣ ନିୟୋଜିତ

ଆଜିଠୁ ସାମିଲ୍ ହେବେ ରୂପକାର ସେବକ
ପୁରୀ (ବୁ୍ୟରୋ): ରଥଯାତ୍ରା ନିମନ୍ତେ ଅକ୍ଷୟ ତୃତୀୟାଠାରୁ ରଥଖଳାରେ ତିନିରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ ଚକ ନିର୍ମାଣ ନିମନ୍ତେ ପ୍ରଥମେ ତୁମ୍ବ କାଠ ଚିରଟ କରାଯାଇ ସେଗୁଡ଼ିକ ଗୋଲାକାର ସାଇଜ୍ କରାଯାଇଥିଲା । ଏବେ ସେଥିରେ ବିନ୍ଧ କରାଯାଉଛି । ଶନିବାର ନୃସିଂହ ଚତୁର୍ଦ୍ଦଶୀଠାରୁ କଣଗୁଜ ଅନୁକୂଳ କରାଯିବ । ସେଥିପାଇଁ ବିଶ୍ୱକର୍ମା ଓ ଭୋଇ ସେବକମାନେ ଚଳଚଞ୍ଚଳ ହୋଇପଡ଼ିଛନ୍ତି । କଣଗୁଜ ଅନୁକୂଳ ହେବାକୁ ଥିବା ୧୨ ଫୁଟିଆ କାଠ ୧୫ଖଣ୍ଡ ଶୁକ୍ରବାର ରଥଖଳାରେ ସାଇଜ୍ ହୋଇରହିଛି । ଶନିବାର କଣଗୁଜ ଅନୁକୂଳ ହେବା ପରେ ରଥ ନିର୍ମାଣରେ ସାମିଲ ହେବେ ରୂପକାର ସେବକ । ଅର୍ଥାତ୍ ରୂପକାରମାନେ ମଧ୍ୟ ନୃସିଂହ ଚତୁର୍ଦ୍ଦଶୀରେ ତାଙ୍କ କାମ ଅନୁକୂଳ କରିବେ ।
ସେହିପରି ଶନିବାର ମଧ୍ୟ ଯନ୍ତାଗାଡ଼ ଖୋଳାଯିବ । ଏଥିଲାଗି ଶୁକ୍ରବାର କାଠ ଗଦା ହୋଇଥିବା ସ୍ଥାନରୁ ଭୋଇ ସେବକମାନେ ୨ଟି ୪୦ଫୁଟିଆ ଅସନ କାଠ ଆଣି ଯନ୍ତାଗାଡ଼ ନିକଟରେ ରଖିଛନ୍ତି । ଯନ୍ତାଗାଡ଼ର ଦୁଇପାଶ୍ୱର୍ରେ ଏହି ୨ଖଣ୍ଡ କାଠ ରହି ସିଙ୍ଗଡ଼ା ବାଡ଼ିଆ କାମ ହେବ । ଭୋଇ ସର୍ଦ୍ଦାର ରବି ଭୋଇ ଏହି ସିଙ୍ଗଡ଼ା ବାଡ଼ିଆ କାମର ଅନୁକୂଳ କରିବେ ବୋଲି କହିଛନ୍ତି । ସେପଟେ ଦୋଳବେଦୀ ପରିସରସ୍ଥ କମାର ଚାଳିରେ କମାର ସେବକମାନେ ପନ୍ଦାରି ନିର୍ମାଣରେ ଲାଗି ପଡ଼ିଛନ୍ତି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବଡ଼ଠାକୁର ତାଳଧ୍ୱଜ ରଥର ୧୪ ଚକ ଲାଗି ୪୪୮ଗୋଟି ଅରକଣ୍ଟା ଆବଶ୍ୟକ ଥିବା ବେଳେ ୨୦୦ ଅରକଣ୍ଟା ନିର୍ମାଣ ଶେଷ ହୋଇଛି । ସେହିପରି ୧୪ଗୋଟି ତୁମ୍ବ ପାଇଁ ୨୮ ପନ୍ଦାରୀ ଆବଶ୍ୟକ ଥିବାବେଳେ ୨ ଚକ ଲାଗି ପନ୍ଦାରି ନିର୍ମାଣ ଶେଷ ହୋଇଛି । ଦର୍ପଦଳନ ରଥର ୧୨ଟି ଚକ ଲାଗି ୩୮୪ ଅରକଣ୍ଟାରୁ ୨୨୪ଟି ନିର୍ମାଣ ଶେଷ । ତତ୍ସହିତ ୮ଗୋଟି ପନ୍ଦାରୀ ନିର୍ମାଣ କରାଯାଇଛି । ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୧୬ଟି ଚକ ଲାଗି ୫୧୨ ଅରକଣ୍ଟା ଆବଶ୍ୟକଥିବା ବେଳେ ୨୨୪ଟି ଅରକଣ୍ଟା ସମ୍ପନ୍ନ ହୋଇଛି । ତତ୍ ସହିତ ୮ଟି ଗୋଟି ପନ୍ଦାରୀ ନିର୍ମାଣ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *