୪.୫ଠ ଲକ୍ଷ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ଲକ୍ଷ୍ୟ

ପୁରୀ (ବୁ୍ୟରୋ): ଜିଲ୍ଲାରେ ରବି ଧାନ ସଂଗ୍ରହ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରିବା ନେଇ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲିପ କୁମାର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡ଼ାସିଂ, ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭୀମସେନ ସାହୁ, ସହକାରୀ ନିବନ୍ଧକ ସ୍ୱରୂପ କର ପ୍ରମୁଖ ଉପସ୍ଥିତ ଥିଲେ ।ଚଳିତ ବର୍ଷ ରବି ଋତୁ ନିମନ୍ତେ ଜିଲ୍ଲାରେ ୧୫ ହଜାର ୪୭୮ ଜଣ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିବେ । ଚଳିତମାସ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ମଣ୍ଡି ମାଧ୍ୟମରେ ଧାନ କିଣାଯିବ । ଏଥିନିମନ୍ତେ ଅସ୍ତରଙ୍ଗ ବ୍ଲକ୍ ବ୍ୟତୀତ ଜିଲ୍ଲାର ୧୦ଟି ବ୍ଲକ୍ର ୧୦୦ଟି ଧାନ କ୍ରୟ କେନ୍ଦ୍ର ତଥା ମଣ୍ଡିରେ ୧୯ ଜଣ ମିଲର୍ଙ୍କ ମାଧ୍ୟମରେ ଧାନ କିଣାଯିବ । ଗତବର୍ଷ ୧୨ ହଜାର ୩୫୭ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୩ ଲକ୍ଷ ୪୬ ହଜାର ୫୮୧ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଆପାତତଃ ୪ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଆଗୁଆ ମୌସୁମୀକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସ୍ଥିରୀକୃତ ସମସ୍ତ ମଣ୍ଡିକୁ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପର୍ଯ୍ୟାପ୍ତ ପଲିଥିନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ରଖିବା ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି । ଚଳିତବର୍ଷ ରବି ଧାନ ସଂଗ୍ରହ ବ୍ୟବସ୍ଥା ଯେପରି ସଠିକ୍ ଭାବେ ସମ୍ପାଦିତ ହେବ ଓ ଜିଲ୍ଲାର ଚାଷୀମାନେ ବିନା ଦ୍ୱିଧାରେ ସ୍ଥିରୀକୃତ ମଣ୍ଡିରେ ଧାନ ବିକ୍ରୟ କରିପାରିବେ ଏଥିପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରିବା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଥିଲେ । ଧାନ ସଂଗ୍ରହ ବ୍ୟବସ୍ଥାର ଯାଞ୍ଚ ନିମନ୍ତେ ପ୍ରତି ସପ୍ତାହରେ ବୈଠକ କରି ସଂପୃକ୍ତ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ ନୋଡାଲ୍ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲିପ କୁମାର ମହାପାତ୍ରଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଧାନ କ୍ରୟ କେନ୍ଦ୍ର ଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏବଂ ସଂପୃକ୍ତ ଚାଷୀଙ୍କ ଆକାଉଣ୍ଟକୁ ଦୁଇଦିନ ମଧ୍ୟରେ ମୂଲ୍ୟ ରାଶି ପ୍ରଦାନ କରିବା ବ୍ୟବସ୍ଥା କରିବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ଉପ-ଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି । ଧାନ ବିକ୍ରୟ ନିମନ୍ତେ ସଚେତନତା ସୃଷ୍ଟି ଏବଂ ବୈଧ ଚାଷୀମାନଙ୍କ ଟୋକନ ଯେପରି ନିଷ୍କ୍ରିୟ ନ ହୁଏ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ବୈଠକରେ ଗୁରୁତ୍ୱ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *