ଚାଲୁହେବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ୱର,୧୨ା୫(ବୁ୍ୟରୋ): ତାଳଚେର ମେଡିକାଲ୍‌ କଲେଜ ଚାଲିବା ନେଇ ଆଶା ସଞ୍ଚାର ହୋଇଛି । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ମେଡିକାଲ୍‌ କଲେଜ ସ୍ଥାପନ ଓ ପରିଚାଳନା ଅର୍ଥ ମହାନଦୀ କୋଲ୍ ଫିଲଡ୍‌(ଏମସିଏଲ) ଦେବ ଏବଂ ରାଜ୍ୟ ସରକାର ଏହାକୁ ପରିଚାଳନା କରିବେ । ଅନୁଗୁଳ ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ତାଳଚେରଠାରେ ସ୍ଥାପନ ହୋଇଥିବା ଏହି ମେଡିକାଲ୍‌ କଲେଜର ନାଁ ହେଉଛି ମହାନଦୀ ଇନଷ୍ଟିଚୁ୍ୟଟ୍‌ ଅଫ୍ ମେଡିକାଲ୍‌ ସାଇନସ୍‌ ଆଣ୍ଡ ରିସର୍ଚ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୨୦ ଏକର ଜାଗା ଉପରେ ଏମସିଏଲ୍‌ ଏହାର ନିର୍ମାଣ କରିଛି । ଏହି ମେଡିକାଲ୍‌ କଲେଜରେ ପ୍ରତିବର୍ଷ ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇବେ । ସେଥିରେ ୫୦୦ ଶଯ୍ୟାର ହସ୍ପିଟାଲ୍‌ ରହିବ । ତାଳଚେରଠାରେ ଉକ୍ତ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌କୁ ପିପିପି ମୋଡ୍‌ରେ ଚଳାଇବା ପାଇଁ ଏମସିଏଲ୍‌ ପ୍ରଥମେ ଉଦ୍ୟମ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ ଏମ୍ସିଏଲ୍‌ ରାଜ୍ୟ ସରକାରଙ୍କୁ ଏହାର ପରିଚାଳନା ଭାର ନେବା ପାଇଁ ପ୍ରସ୍ତାବ ପଠାଇଥିଲା । ଅନ୍ୟପକ୍ଷରେ ତାଳଚେର ସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ୍ ରିସର୍ଚ୍ଚ(ମିମସାର)କୁ ଓଡ଼ିଶା ସରକାର ଓ ମହାନଦୀ କୋଲ୍ ଫିଲ୍ଡ(ଏମସିଏଲ) ସମନ୍ୱୟ ରକ୍ଷା କରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତ୍ତି ପ୍ରସଙ୍ଗ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ସରକାର, ଏମସିଏଲର ସହଯୋଗରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ଠାରେ ଭାରତ ସରକାରଙ୍କ ଏମସିଏଲ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଉଛି । ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା କରୁଛି । ତାଳଚେର ମେଡିକାଲ କଲେଜ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ପ୍ରାୟ ୭୦ ଲକ୍ଷ ଲୋକମାନେ ଉତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡ଼ିକାଲ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *