କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତି ସବୁଠି ପ୍ରଶଂସିତ
ପୂର୍ବତନ ରାଜ୍ୟପାଳଙ୍କ ପୁସ୍ତକ ‘ସର୍ଭିସ ଅନ୍ଇଣ୍ଟରପେଟେଡ୍’ ଲୋକାର୍ପିତ
ଭୁବନେଶ୍ୱର (ବୁ୍ୟରୋ): ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଦା ସଚେତନ ଏବଂ ସମର୍ପିତ ବ୍ୟକ୍ତି ସବୁ ସ୍ତରରେ ପ୍ରଶଂସିତ ଓ ଏପରି ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ ଯେ କି ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରି ଓ ନିରନ୍ତର ସେବା ପ୍ରଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ଯୁବପିଢିଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଗୁରୁବାର ରାଜଭବନର ଅଭିଷେକ ହଲରେ ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ସର୍ଭିସ୍ ଅନ୍ଇଣ୍ଟରପେଟେଡ୍’କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଶ୍ରୀ ରାଜେନ୍ଦ୍ରନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଉଲ୍ଲେଖ କରିଥିଲେ । ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅନୁଭୂତି ଅନନ୍ୟ ଓ ଏହା ତାଙ୍କୁ ଅଶେଷ ଆତ୍ମସନ୍ତୋଷ ଦେଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ସୁଶୀଳା ରାଜେନ୍ଦ୍ରନ, ବିପିୟୁଟିର ପ୍ରଥମ କୁଳପତି ଓଏଆଇସିଟିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ । ହର ଆନନ୍ଦ ପବ୍ଲିକେସନର ପ୍ରକାଶକ ନରେନ୍ଦ୍ର କୁମାର ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ଅଚୁ୍ୟତ ସାମନ୍ତଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।