ଗୃହ ନିର୍ମାଣର ଦିନକ ପରେ ଭୁଶୁଡ଼ିଲା ଛାତ

ଉଠା ଜଳସେଚନ ବିଭାଗରେ ଦୁର୍ନୀତି
ଧାମନଗର (ଆପ୍ର): ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ଅନେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରାରେ ଯୋଜନା ବିଫଳ ହେଉଛି । ଏପରି ଏକ ଯୋଜନା ଉଠା ଜଳସେଚନ ବିଭାଗ ଦେଖିବାକୁ ମିଳିଛି । ଚାଷୀଙ୍କୁ ଉନ୍ନତ ଚାଷ ଯୋଗାଇ ଦେବାପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ଲିପ୍ଟି ପଏଣ୍ଟ ଖୋଳାଯାଉଛି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ସଲା ସୁତୁରାରେ ନିମ୍ନମାନର କାମ କରାଯାଉଛି । ଧାମନଗର ବ୍ଲକ୍ର ୩୧ ପଞ୍ଚାୟତରେ ୫ ଶହରୁ ଊଦ୍ଧ୍ୱର୍ ଉଠା ଜଳସେଚନ ପଏଣ୍ଟ ସରକାରଙ୍କ ପକ୍ଷରୁ ଖୋଳାଯାଇ ଥିବା ବେଳେ କାଁ ଭାଁ କେତୋଟି ସଚଳ ଅବସ୍ଥାରେ ରହିଛି । ଅନ୍ୟସବୁ ପଏଣ୍ଟ ଅଚଳ ହୋଇ ପଡ଼ିଛି । ମାତ୍ର ସେହି ଅଚଳ ପଏଣ୍ଟକୁ ସଚଳ କରାଯାଉ ନ ଥିବାବେଳେ ଏବେ ସରକାରଙ୍କ ପକ୍ଷରୁ ପୁଣି ଠିକାଦାରକୁ ପୋଷିବାର ଆଉ ଏକ ପ୍ରୟାସ କରିଛନ୍ତି । ବିଭିନ୍ନ ପଞ୍ଚାୟତରେ ଉଠା ଜଳସେଚନ ପ୍ରକଳ୍ପ ପକ୍ଷରୁ ଲିପ୍ଟି ପଏଣ୍ଟ ଖୋଳା ଚାଲିଛି । ଯାହାକି ସମ୍ପୂର୍ଣ୍ଣ ଭାବରେ ଅତି ନିମ୍ନମାନର କରାଯାଉଛି । ବୋରିଂ ସହ ପମ୍ପ ହାଉସ, ପାଇପ ବିଛା ଓ ବିଦୁ୍ୟତ୍ ସଂଯୋଗ ଆଦିକୁ ନେଇ ଗୋଟେ ପଏଣ୍ଟ ପିଛା ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ହୋଇଥାଏ । ହେଲେ ତାହା ନିମ୍ନମାନର କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ, ଧାମନଗର ବ୍ଲକ୍ର ଦୋବଲ ନିକଟସ୍ଥ ମୁସ୍ତଫାପୁର ପଞ୍ଚାୟତର ରଘୁନାଥପୁରଠାରେ ଉଠା ଜଳସେଚନ ବିଭାଗ ପକ୍ଷରୁ ଏକ ଲିପ୍ଟି ପଏଣ୍ଟ ଖୋଳାଯାଇଛି । ବୋରିଂ ପରେ ଚାଷ ଜମିକୁ ପାଇପ ବିଛା ସରିଛି ଏବଂ ଏକ ପମ୍ପହାଉସ ଘର ନିର୍ମାଣ କରାଯାଇଛି । ଅତି ନିମ୍ନମାନର କରାଯାଇଥିବାରୁ ଉକ୍ତ ଘର ଛାତ ପଡ଼ିବାର ଗୋଟିଏ ଦିନପରେ ଭୁଶୁଡ଼ି ପଡ଼ିଥିଲା । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚରେିବାରେ, ଛାତ ଗଳି ପଡ଼ିଛି ପୁଣି ଥରେ ହେବ । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରକାଶ କରିଥିଲେ । ଉକ୍ତ କନିଷ୍ଠ ଯନ୍ତ୍ରୀ କାମ ପାଖକୁ ନ ଆସି ଠିକାଦାରଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଥାନ୍ତି । ଫଳରେ ଠିକାଦାର ମନଇଚ୍ଛା କାମ କରିଥାଏ । ଅପରପକ୍ଷେ ଧାମନଗର ବ୍ଲକ୍ ଉଠା ଜଳସେଚନ ପ୍ରକଳ୍ପ ବିଭାଗର ଏକ କାର୍ଯ୍ୟାଳୟ ଧାମନଗର ଥାନା ସମ୍ମୁଖରେ ଥିବାବେଳେ ତାହା ସବୁବେଳେ ତାଲା ପଡ଼ିଥାଏ । ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଉଠା ଜଳସେଚନ ବିଭାଗକୁ ସକ୍ରିୟ କରିବାପାଇଁ ଚାଷୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *