ଉବେର କପ୍ରୁ ଭାରତ ବିଦା
ବ୍ୟାଙ୍କକ୍, ୧୨ା୫ (ଏଜେନ୍ସି): ଯୁଗଳ ଅଲିମ୍ପିକ୍ ପଦକଧାରୀ ପି.ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଟିମ୍ ଗୁରୁବାର କ୍ୱାର୍ଟର୍-ଫାଇନାଲ୍ରେ ଥାଇଲାଣ୍ଡଠାରୁ ୦-୩ରେ ପରାଜିତ ହୋଇ ଉବେର କପ୍ ଫାଇନାଲ୍ସରୁ ବିଦାୟ ନେଇଛି । ଅନ୍ୟପଟେ, ପୁରୁଷ ଟିମ୍ କ୍ୱାର୍ଟର-ଫାଇନାଲ୍ରେ ମାଲେସିଆକୁ ଭେଟିବ ।
ବିଶ୍ୱର ସାତ ନମ୍ବର ଖେଳାଳି ସିନ୍ଧୁ କ୍ରମାଗତ ଦ୍ୱିତୀୟ ଦିନ ବିଫଳ ହୋଇଥିଲେ । ପ୍ରଥମ ମହିଳା ଏକକ ମ୍ୟାଚ୍ ସେ ଥାଇ ଖେଳାଳି ଅଷ୍ଟମ ମାନ୍ୟତାଧାରିଣୀ ରାତଚାନୋକ୍ ଇଣ୍ଟାନନ୍ଙ୍କଠାରୁ ୨୧-୧୮, ୧୭-୨୧, ୧୨-୨୧ରେ ହାରି ଯାଇଥିଲେ । ଏହି ମୁକାବିଲା ୫୯ ମିନିଟ୍ ଧରି ଚାଲିଥିଲା । ଏହି ପରାଜୟ ସହ ଇଣ୍ଟାନନ୍ଙ୍କ ବିପକ୍ଷରେ ସିନ୍ଧୁଙ୍କ ଜୟ-ପରାଜୟ ରେକର୍ଡ ୪-୭ରେ ପହଞ୍ଚିଛି ।
ଏହାପରେ ଯୁଗଳ ମ୍ୟାଚ୍ରେ ଶ୍ରୁତି ମିଶ୍ର ଓ ସିମରନ୍ ସିଂହୀ ଥାଇ ଯୋଡ଼ି ଜଙ୍ଗକୋଲଫାନ କିତିଥାରାକୁଲ ଓ ରାୱିଣ୍ଡା ପ୍ରାଜୋଙ୍ଗ୍ଜାଇଙ୍କଠାରୁ ୧୬-୨୧, ୧୩-୨୧ରେ ପରାଜିତ ହୋଇଥିଲେ । ପରବର୍ତ୍ତୀ ଏକକ ମ୍ୟାଚ୍ରେ ଆକର୍ଷୀ କାଶ୍ୟପ ବି କିଛି ଖାସ୍ କରିପାରି ନ ଥିଲେ । ସେ ପର୍ନପୱି ଚୋଚୁୱଙ୍ଗଙ୍କଠାରୁ ୧୬-୨୧, ୧୧-୨୧ରେ ହାରି ଯାଇଥିଲେ । ମ୍ୟାଚ୍ ୪୨ ମିନିଟ୍ ଧରି ଚାଲିଥିଲା ।
ଥାଇଲାଣ୍ଡ ୩-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିବାରୁ ଔପଚାରିକ ହୋଇଯାଇଥିବା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳାଯାଇ ନ ଥିଲା । ଏଥି ପୂର୍ବରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ କାନାଡ଼ା ଓ ଆମେରିକା ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ପରେ ଶେଷ ମ୍ୟାଚ୍ରେ କୋରିଆଠାରୁ ୦-୫ରେ ପରାଜିତ ହୋଇଥିଲା ।