ଭାଗ ମାଗିବାରୁ ସାନକୁ ଚେନ୍ରେ ବାନ୍ଧିଲା ବଡ଼ଭାଇ
ବାରିପଦା (ଆପ୍ର): ପୈତୃକ ସମ୍ପତ୍ତି ଜମିରୁ ଭାଗ ମାଗିବାରୁ ସାନ ଭାଇକୁ ଚେନରେ ବାନ୍ଧିଲା ବଡ଼ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କେନ୍ଦୁଡ଼ିହା ଗ୍ରାମରେ । ୧୫ଦିନ ହେବ ଏକ ଗୃହ ମଧ୍ୟରେ ସାନ ଭାଇକୁ ବନ୍ଦ କରି ମଧ୍ୟ ରଖିଥିଲା ବଡ଼ଭାଇ । କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ପଞ୍ଚାୟତର କେନ୍ଦୁଡ଼ିହା ଗ୍ରାମର ଏକ ସ୍କୁଲ୍ ପିଣ୍ଡାରୁ ବେକ ଓ ଅଣ୍ଟାରେ ଚେନ୍ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କୁ ଦେଖି ଗାଁ ଲୋକ ଭୟଭୀତ ହେବା ସହ ଅଟକ ରଖି ପଚରାଉଚରା କରିଥିଲେ । ଯୁବକ ଜଣକ ଭାଲିଆଡ଼ିହା ପଞ୍ଚୟାତର ଆମ୍ବଡ଼ାଳି ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ମହାନ୍ତ ବୋଲି ପରିଚୟ ଦେଇଥିଲେ । ଘଟଣା ସମ୍ପର୍କରେ ପଚାରିବାରୁ ପୂର୍ବରୁ ସେ ଏଟିଏମ୍ ଲୁଟ୍ କରୁଥିବା ନିଜ ମୁଁହରେ ସ୍ୱୀକାର କରିଥିଲେ । ପୁଲିସ ହାତରେ ଧରାପଡ଼ି ଜେଲରେ ମଧ୍ୟ ରହିଥିବା କହିଛନ୍ତି ।
ଯୁବକ ଜଣକ କହିବା ମୁତାବକ, ଜେଲ୍ରୁ ଫେରିବା ପରେ ଜଣେ ଆଦିବାସୀ ଝିଅ ସହିତ ତା’ର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଘରେ ତା’ ସହିତ ବିବାହ କରାଇଦେବା କଥା କହିବା ପରେ ଘର ଲୋକେ ସେଥିରେ ରାଜି ନ ହେବାରୁ ଯୁବକ ଜଣକ ଏହି ଝିଅକୁ ବିବାହ କରି ଏକା ରହିବା ପାଇଁ ଜମିବାଡ଼ିରୁ ଭାଗ ମାଗିଥିଲା । ହେଲେ ଜାଗାରୁ ଭାଗ ନ ଦେଇ ବଡ଼ ଭାଇ ବରୁଣ କୁମାର ମହାନ୍ତ ଏକ ବଡ଼ ଚେନ୍ ସାହାଯ୍ୟରେ ଯୁବକର ହାତ ଗୋଡ଼ ବାନ୍ଧି ଏକ ବନ୍ଦ କୋଠରୀରେ ପକାଇ ଦେଇଥିଲେ । ଦୀର୍ଘ ୧୫ ଦିନ ପରେ ଯୁବକ ଜଣକ କୌଣସି ମତେ ସେଠାରୁ ଖସି ପଳେଇ ଆସିଥିବା କରିଛନ୍ତି ।
ଅନ୍ୟପଟେ ପୂର୍ଣ୍ଣଚନ୍ଦ୍ରଙ୍କ ଗାଁ ଲୋକଙ୍କ କହିବା ଅନୁଯାୟୀ, ଗାଁ ଗଣ୍ଡାରେ ସବୁବେଳେ ସେ ଚୋରି କରୁଥିଲା । ନିକଟରେ ନିଜ ଘରୁ ଭାଇ, ଭାଉଜଙ୍କ ମୋବାଇଲ୍ ସହ ଅନ୍ୟାନ୍ୟ ଜିନିଷ ନେଇ କୁଆଡ଼େ ବିକ୍ରି କରିଦେଇଥିଲା । ଯାହାକୁ ନେଇ ବଡ଼ଭାଇ ବରୁଣ ବିରକ୍ତ ହୋଇ ପୂର୍ଣ୍ଣଚନ୍ଦ୍ରକୁ ବେକରେ ଓ ଅଣ୍ଟାରେ ଚେନ ଚାବି ପକାଇ କିଛିଦିନ ହେବ ଘରେ ରଖିଥିଲେ । ହେଲେ କୌଣସି ମତେ ଗତକାଲି ସେ ଘରୁ ଖସି ପଳାଇ ଆସି ଏଭଳି କାଣ୍ଡ ଭିଆଇଥିବା କହିଛନ୍ତି । ଗତକାଲି ରାତିରୁ ଯୁବକକୁ ଅଟକ ରଖିବା ପରେ ଆଜି କୁଳିଅଣା ପୁଲିସ ହାତରେ ଜିମା ଦେଇଛନ୍ତି ଗ୍ରାମବାସୀ । ସତ୍ୟାସତ୍ୟ ବିଷୟ ପୁଲିସ ତଦନ୍ତ ପରେ ସାମ୍ନାକୁ ଆସିବ ।