ଜବରଦଖଲ ଉଚ୍ଛେଦ ଓ ଡାକ୍ତରୀ ପଦ ପୂରଣ ପାଇଁ ଆଲୋଚନା

ଏମ୍କେସିଜି ସ୍ୱାସ୍ଥ୍ୟ ବିକାଶ ସମିତିର ବୈଠକ
ବ୍ରହ୍ମପୁର (ବୁ୍ୟରୋ): ଏମ୍କେସିଜି ମେଡିକାଲ୍ କଲେଜ ଓ ବଡ଼ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ବିକାଶ ସମିତିର ଅଧ୍ୟକ୍ଷ ତଥା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ୨୦୨୧ ନଭେମ୍ବର ୨୯ତାରିଖରେ ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ।
ଏମ୍କେସିଜିର ଦ୍ୱିତୀୟ ଗେଟ୍ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଏମ୍କେସିଜି ପରିସରରୁ ଜବରଦଖଲ ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଥିଲା । ପରିସରରେ ବହୁ ଉଠା ଦୋକାନୀ ଜବରଦଖଲ କରି ବ୍ୟବସାୟ କରୁଥିବା ଯୋଗୁ ବିଭିନ୍ନ ସମୟରେ ରୋଗୀ, ଆମ୍ବୁଲାନ୍ସ, ଡାକ୍ତର, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଯାତାୟାତ ସହ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ସମସ୍ୟା ଉପୁଜୁଛି । ତେଣୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ଆଲୋଚନା ହୋଇଥିଲା । ନୂତନ ସୁପର ସ୍ପେଶିଆଲିଟି କୋଠାରେ ବିଭିନ୍ନ ବିଭାଗର ସୁପରିଚାଳନା ଉପରେ ଆଲୋଚନା ହେବା ସହ ଏମ୍କେସିଜିର ବହୁ ବରିଷ୍ଠ ବିଶେଷଜ୍ଞମାନେ ଅନ୍ୟତ୍ର ବଦଳି ହୋଇଥିବାରୁ ଡାକ୍ତରୀ ପଦବୀ କିପରି ତୁରନ୍ତ ପୂରଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏମ୍କେସିଜି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ, ମୋ କଲେଜ ଅଭିଯାନ ଆରମ୍ଭ, ଆଲୁମିନା କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । କାଡିଓଲୋଜି ବିଭାଗରେ କାର୍ଯ୍ୟରତ କ୍ୟାଥ୍ ଲ୍ୟାବ୍ ଟେକ୍ନିସିଆନଙ୍କ ପାରିଶ୍ରମିକ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବିପଦସଙ୍କୁଳ ବଡ଼ ଡାକ୍ତରଖାନାର ପୁରୁଣା ଇଣ୍ଡୋର କୋଠାକୁ ଭଙ୍ଗାଯିବାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ କ୍ୟାଥ୍ ଲ୍ୟାବ୍ ସୁପର ସ୍ପେଶିଆଲିଟି କୋଠାକୁ ସ୍ଥାନାନ୍ତରିତ ହେବା ପରେ ହିଁ ପୁରୁଣା କୋଠାକୁ ଭଙ୍ଗାଯିବାକୁ ନେଇ ନିଷ୍ପତ୍ତି ହୋଇଥିଲା ।
ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ନିଗମ ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ମହାନଗର ନିଗମ କମିଶନର ଡ.ସିଦେ୍ଧଶ୍ୱର ବିଳରାମ ବୋନ୍ଦାର ପ୍ରମୁଖ ମଞ୍ଚାସୀନ ଥିଲେ । ଏମ୍କେସିଜିର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଆର୍.ଜଗଦୀଶ ପଟ୍ଟନାୟକଙ୍କ ସମେତ ଏମ୍କେସିଜି ମେଡିକାଲ୍ର ସମସ୍ତ ମ୍ୟାନେଜର, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଟାଟା ପାୱାର ଓ ଅନ୍ୟାନ୍ୟ ଲାଇନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *