ମୁମ୍ବାଇର ସହଜ ବିଜୟ
ଆଇପିଏଲ୍ ୨୦୨୨ । ୫୯ତମ ମ୍ୟାଚ୍
ମୁମ୍ବାଇ, ୧୨ା୫ (ଏଜେନ୍ସି): ଚେନ୍ନାଇ ସୁପର୍ କିଙ୍ଗ୍ସ ଗୁରୁବାର ଚଳିତ ଆଇପିଏଲ୍ର ୫୯ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍ରେ ହରାଇ ସହଜ ବିଜୟ ହାସଲ କରିଛି । ଏଥି ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ପ୍ଲେ-ଅଫ୍ ଦୌଡ଼ରୁ ବିଦାୟ ନେଇଛି ।
ଚେନ୍ନାଇ (୮ ପଏଣ୍ଟ) ଟିମ୍ର ଏହା ୧୨ ମ୍ୟାଚ୍ରୁ ଅଷ୍ଟମ ପରାଜୟ । ଅନ୍ୟପଟେ, ମୁମ୍ବାଇ (୬ ପଏଣ୍ଟ) ଟିମ୍ର ଏହା ୧୨ ମ୍ୟାଚ୍ରୁ ତୃତୀୟ ବିଜୟ । ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ଡାନିଏଲ୍ ସାମ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ମୁମ୍ବାଇ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ର ଚୂଡ଼ାନ୍ତ ଏକାଦଶରୁ କାଇରନ୍ ପୋଲାର୍ଡଙ୍କୁ ବାହାରେ ରଖାଯାଇଥିଲା । ମୁରୁଗନ୍ ଅଶ୍ୱିନ ବି ଏହି ମ୍ୟାଚ୍ ଖେଳି ନ ଥିଲେ । ସେମାନଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟନ ଷ୍ଟବ୍ସ ଓ ଋତିକ ଶୋକୀନ ଖେଳିଥିଲେ । ଅନ୍ୟପଟେ, ଚେନ୍ନାଇର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଟିମ୍ ୧୬ ଓଭର୍ରେ ୯୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଆଇପିଏଲ୍ ଇତିହାସରେ ଏହା ଚେନ୍ନାଇର ଦ୍ୱିତୀୟ ସର୍ବନିମ୍ନ ସ୍କୋର୍ । ଏହା ପୂର୍ବରୁ ୨୦୧୩ରେ ଟିମ୍ ମୁମ୍ବାଇ ବିପକ୍ଷରେ ମାତ୍ର ୭୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା ।
ଅଧିନାୟକ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ଅପରାଜିତ ୩୬ ରନ୍ କରିଥିଲେ । ଟିମ୍ର କେବଳ ଚାରି ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ବିପକ୍ଷ ବୋଲର୍ ଡାନିଏଲ୍ ସାମ୍ସ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ରିଲୀ ମେରେଡିଥ୍ ଓ କୁମାର କାର୍ତ୍ତିକେୟ ୨ଟି ଲେଖାଏଁ ଏବଂ ଯଶପ୍ରୀତ ବୁମ୍ରା ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ମ୍ୟାଚ୍ର ପ୍ରଥମ ଓଭର୍ରୁହିଁ ଚେନ୍ନାଇର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ସାମ୍ସଙ୍କ ଦ୍ୱିତୀୟ ବଲ୍ରେ ଡେଭନ୍ କନୱେ ଖାତା ଖୋଲି ନ ପାରି ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ରିପ୍ଲେରୁ ଲାଗୁଥିଲା ଯେ ବଲ୍ ଲେଗ୍ ଷ୍ଟମ୍ପ୍କୁ ମିସ୍ କରିପାରିଥାନ୍ତା । ତେବେ ପାୱାର କଟ୍ ଯୋଗୁଁ ଡିଆର୍ଏସ୍ ଉପଲବ୍ଧ ନ ଥିଲା । ଏହି କାରଣରୁ କନୱେଙ୍କୁ ପାଭିଲିଅନ୍ ଫେରିବାକୁ ପଡ଼ିଥିଲା । ସାମ୍ସ ଏହାପରେ ଚତୁର୍ଥ ବଲ୍ରେ ମୋଇନ୍ ଅଲ୍ଲୀ ବି ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ ।
ଦ୍ୱିତୀୟ ଓଭର୍ର ଚତୁର୍ଥ ବଲ୍ରେ ଯଶପ୍ରୀତ ବୁମ୍ରା ରବିନ ଉଥପ୍ପାଙ୍କୁ ଏଲ୍ବିଡବ୍ଲୁ୍ୟ ଆଉଟ୍ କରିଥିଲେ । ସେତେବେଳେ ବି ଡିଆର୍ଏସ୍ ଉପଲବ୍ଧ ନ ଥିଲା । ତେବେ ଉଥପ୍ପା ଆଉଟ୍ ଜଣାପଡ଼ୁଥିଲେ । ଏହାର କିଛି ସମୟ ପରେ ଡିଆର୍ଏସ୍ ଉପଲବ୍ଧ ହୋଇଥିଲା । ୫ ରନ୍ରେ ୩ ୱିକେଟ୍ ପଡ଼ିଥିଲା । ସାମ୍ସ ନିଜ ତୃତୀୟ ଓଭର୍ର ପ୍ରଥମ ବଲ୍ରେ ଅନ୍ୟତମ ଓପନର୍ ଋତୁରାଜ ଗାଏକୱାଡ଼ (୭)ଙ୍କୁ ୱିକେଟ୍କିପର୍ ଈଶାନ କିଶନଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ରିଲୀ ମେରେଡିଥ୍ ଷଷ୍ଠ ଓଭର୍ରେ ଅମ୍ବାତି ରାୟୁଡ଼ୁ (୧୦) ଓ ଅଷ୍ଟମ ଓଭର୍ରେ ଶିବମ୍ ଦୁବେ (୧୦)ଙ୍କୁ ଆଉଟ୍ କରିଥିଲେ । ମାତ୍ର ୩୯ ରନ୍ରେ ଟିମ୍ ୬ ୱିକେଟ୍ ହରାଇଥିଲା ।
ଏହାପରେ ଅଧିନାୟକ ଧୋନି ନୂଆ ବ୍ୟାଟର୍ ଡ୍ୱେନ୍ ବ୍ରାଭୋଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଉଭୟଙ୍କ ମଧ୍ୟରେ ସପ୍ତମ ୱିକେଟ୍ ପାଇଁ ୩୯ ରନ୍ର ଭାଗୀଦାରୀ କରିଥିଲେ । ୧୩ତମ ଓଭର୍ରେ ବ୍ରାଭୋ (୧୨)ଙ୍କୁ ଆଉଟ୍ କରି କାର୍ତ୍ତିକେୟ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଏକାକୀ ଧୋନି ସଂଘର୍ଷ କରୁଥିଲେ । ଅନ୍ୟପଟେ, ସିମରନ୍ ସିଂହ ୨ ରନ୍ କରି କାର୍ତ୍ତିକେୟଙ୍କ ବଲ୍ରେ ଏବଂ ମହୀଶ ତୀକ୍ଷଣା ଖାତା ଖୋଲି ନ ପାରି ରମଣଦୀପଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ମୁକେଶ ଚୌଧୁରୀ ୪ ରନ୍ କରି ଶେଷ ବ୍ୟାଟର୍ ଭାବେ ରନ୍ଆଉଟ୍ ହୋଇ ପାଭିଲିଅନ୍ ଫେରିଥିଲେ । ଧୋନି ୩୩ ବଲ୍ରୁ ୩୬ ରନ୍ କରି ଅପରାଜିତ ଥିଲେ ।
୯୮ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଟିମ୍ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୩ ରନ୍ରେ ୪ ୱିକେଟ୍ ହରାଇଥିଲା । ଈଶାନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ପ୍ରଥମ ଓଭର୍ରେ ଭାଙ୍ଗିଥିଲା । ଈଶାନ୍ ୬ ରନ୍ କରି ମୁକେଶଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ରୋହିତଙ୍କ ଇନିଂସ୍ ବି ବେଶୀ ବାଟ ଯାଇ ନ ଥିଲା । ସେ ୧୮ ରନ୍ କରି ସିମରନ୍ଜିତଙ୍କ ଶିକାର ହୋଇଥିଲେ । ଡାନିଏଲ୍ ସାମ୍ସ (୧) ଓ ଷ୍ଟବ୍ସ (୦) ଉଭୟଙ୍କୁ ପାଭିଲିଅନ୍ ପଠାଇ ମୁକେଶ ପ୍ରତିପକ୍ଷର ସଙ୍କଟ ବଢ଼ାଇ ଦେଇଥିଲେ । ଏହାପରେ ତିଲକ ବର୍ମା ଓ ଋତିକ ଶୋକୀନ ମିଶି ସ୍ଥିତି ସମ୍ଭାଳିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୪୮ ରନ୍ ଯୋଗ କରିଥିଲେ । ଷ୍ଟବ୍ସ ୧୮ ରନ୍ କରି ମୋଇନ୍ ଅଲ୍ଲୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ତିଲକ ନୂଆ ବ୍ୟାଟର୍ ଟିମ୍ ଡେଭିଡ୍ଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ମୁମ୍ବାଇ ଟିମ୍ ୧୪.୫ ଓଭର୍ରେ ୫ ୱିକେଟ୍ ହରାଇ ୧୦୩ ରନ୍ କରି ବିଜୟୀ ହୋଇଥିଲା । ତିଲକ ୩୪ ଓ ଡେଭିଡ୍ ୧୬ ରନ୍ କରି ଅପରାଜିତ ଥିଲେ ।