୨୬ ତୁମ୍ବ ଶେଷ, ଅଖ କାର୍ଯ୍ୟ ଆରମ୍ଭ
ପୁରୀ (ବୁ୍ୟରୋ): ଚଳଚଞ୍ଚଳ ହେଲାଣି ଶ୍ରୀନଅର ସମ୍ମୁଖ ରଥଖଳା । ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା ଓ ମହାରଣା ସେବକ ଆଜି ୨୬ଟି ତୁମ୍ବ ନିର୍ମାଣ କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେଷ କରିଛନ୍ତି । ଗୁରୁବାର ରଥଖଳାରେ ମହାରଣା ସେବାୟତମାନେ ତୁମ୍ବରେ ବିନ୍ଧ କରିବା ଲାଗି ସୁତା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଆଜି ମହାରଣା ସେବକମାନେ ତୁମ୍ବରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରତି ତୁମ୍ବରେ ୧୬ ଯୋଡ଼ା ଅର୍ଥାତ୍ ୩୨ଟି ଲେଖାଏ ବିନ୍ଧ କରାଯିବ । ସମୁଦାୟ ୪୨ ତୁମ୍ବରେ ୧୩୪୪ ବିନ୍ଧ ହେବ । ପ୍ରତି ଚକରେ ୧୬ ଲେଖାଏଁ ଅର ଏବଂ ୪ ଗୋଟି ଲେଖାଏଁ ପହି ଲାଗିବ । ଆବଶ୍ୟକ ୪୨ଟି ତୁମ୍ବ ମଧ୍ୟରୁ ୨୬ ତୁମ୍ବ କାର୍ଯ୍ୟ ଶେଷ ହୋଇ ବିନ୍ଧ କରାଯାଇଛି । ଏହି ୨୬ଟି ତୁମ୍ବ ମଧ୍ୟରେ ନନ୍ଦିଘୋଷ ରଥର ୧୦ଟି, ତାଳଧ୍ୱଜର ୯ଟି ତୁମ୍ବ ଓ ଦର୍ପଦଳନର ୭ଟି ଲେଖାଏ ତୁମ୍ବ ରହିଛି । ସେହିଭଳି ନନ୍ଦିଘୋଷ ରଥର ୪ ଗୋଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ୱଜର ୪ ଗୋଟି ଏବଂ ଦର୍ପଦଳନର ୬ ଗୋଟି ତୁମ୍ବରେ ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।