ଦେଶଦ୍ରୋହ ଆଇନ ସ୍ଥଗିତ
ନୂଆଦିଲ୍ଲୀ, ୧୧ା୫: ଦେଶଦ୍ରୋହ ବା ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ଆଇପିସି ଧାରା ୧୨୪ଏ ଉପରେ ବୁଧବାର ସୁପ୍ରିମ୍ କୋର୍ଟ ରୋକ୍ ଲଗାଇଛନ୍ତି । ଏହି ଆଇନର ପୁର୍ନବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ସମୟ ଦେଇଛନ୍ତି । ପୁନର୍ବିଚାର ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ନ ହେବା ପର୍ଯ୍ୟନ୍ତ ଉକ୍ତ ଧାରା ଅନୁଯାୟୀ ଦେଶରେ କୌଣସି ମାମଲା ରୁଜୁ ହେବ ନାହିଁ; ଏପରିକି କୌଣସି ପୁରୁଣା ମାମଲାର ଯାଞ୍ଚ୍ ମଧ୍ୟ କରାଯିବ ନାହିଁ । ଏହି ଧାରାରେ ଜେଲ୍ରେ ଥିବା ଅଭିଯୁକ୍ତମାନେ ଏବେ ଜାମିନ୍ ପାଇଁ ଆବେଦନ କରିପାରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ହେବ । ତା ପୂର୍ବରୁ ଦେଶଦ୍ରୋହ ଆଇନର ପୁନଃ ସମୀକ୍ଷା କରିବା ଲାଗି ସର୍ବାଚ୍ଚ ଅଦାଲତ ଆଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଦେଶଦ୍ରୋହ ଆଇନ ବଳରେ ଗିରଫ ହୋଇ ଦେଶର ବିଭିନ୍ନ ଜେଲ୍ରେ ଏବେ ୧୩ ହଜାର ଲୋକ ବନ୍ଦୀ ଜୀବନ କାଟୁଛନ୍ତି ବୋଲି ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।
ପ୍ରଧାନ ବିଚାରପତି ଏନ୍ଭି ରମଣା, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତି୍ରପାଠୀ ଓ ଜଷ୍ଟିସ୍ ହିମା କୋହଲିଙ୍କ ନ୍ୟାୟପୀଠ ଅଦେଶ ଦେଇଛନ୍ତି ଯେ, ଏଣିକି ଯଦି ଦେଶଦ୍ରୋହ ଆଇନ ଅନୁଯାୟୀ ନୂଆ କେସ୍ ରୁଜୁ ହେବ, ସେ କ୍ଷେତ୍ରରେ ପୀଡିତ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ।
ଦେଶଦ୍ରୋହ ଆଇନ ଇଂରେଜ ଶାସନ କାଳରେ ୧୮୭୦ ମସିହାରେ ପ୍ରଣିତ ହୋଇଥିଲା । ୧୫୨ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଆଇନର ସଞ୍ଚାଳନ ଉପରେ ଲାଗିଛି ରୋକ୍ ।
ସୁପ୍ରିମ୍ କୋର୍ଟ ଉକ୍ତ ଆଇନ ଉପରେ ସ୍ଥଗିତାଦେଶ ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ (ଏସ୍ଜି) ତୁଷାର ମେହଟା ନ୍ୟାୟପୀଠଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ଆଇପିସିର ଏହି ଧାରା ଉପରେ ରୋକ୍ ଲଗା ନ ଯାଉ । ଭବିଷ୍ୟତରେ ପୁଲିସ୍ ଅଧୀକ୍ଷକ (ଏସ୍ପି)ଙ୍କ ତଦନ୍ତ ଓ ସହମତି ପରେ ଉକ୍ତ ଆଇନ ଅନୁଯାୟୀ ଏତଲା ରୁଜୁ କରାଯିବା ଆଦେଶ ଦିଆଯାଉ । କେନ୍ଦ୍ର ସରକାର ସତ୍ୟପାଠରେ ଦର୍ଶାଇଥିଲେ ଯେ, ସୁପ୍ରିମ୍ କୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ୧୯୬୨ରେ କେଦାରନାଥ ମାମଲାରେ ଏହି ଆଇନ ବୈଧ ବୋଲି ଫଇସଲା ଶୁଣାଇଥିଲେ । ତା ସତ୍ତ୍ୱେ ଏହାର ଦୁରୁପଯୋଗ ରୋକିବା ପାଇଁ ଆଇନର ପୁନର୍ବିଚାର କରିବାକୁ ଆମେ ପ୍ରସ୍ତୁତ ।
ଧାରା ୧୨୪ଏ’କୁ ସୁପ୍ରିମ୍ କୋର୍ଟରେ ୧୦ରୁ ଅଧିକ ଆବେଦନକାରୀ ଚାଲେଞ୍ଜ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଇଂରେଜମାନେ ସ୍ୱାଧୀନତା ସଂଗ୍ରାମର ନେତୃବର୍ଗଙ୍କ ମୁହଁ ବନ୍ଦ କରିବା ପାଇଁ ଏଭଳି କଠୋର ଆଇନ ଲାଗୁ କରି ମହାତ୍ମା ଗାନ୍ଧୀ, ପଣ୍ଡିତ ଜବହାରଲାଲ ନେହରୁ, ଲୋକମାନ୍ୟ ତିଲକ ଆଦିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଯାହା ବର୍ତ୍ତମାନ ସମୟରେ ଅବା‚ôତ । ଧାରା ୧୨୪ଏ ଅନୁଯାୟୀ ଦେଶଦ୍ରୋହ ଏକ ଜାମିନ୍ ବିହୀନ ଅପରାଧ । ଏଥିରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ତିନିବର୍ଷରୁ ଆଜୀବନ ଜେଲ୍ ସହିତ ଜରିମାନା ଦଣ୍ଡ ବ୍ୟବସ୍ଥା ଅଛି । ପୁନଶ୍ଚ ଅଭିଯୁକ୍ତ ବ୍ୟକ୍ତି ସରକାରୀ ଚାକିରୀ କରିପାରିବେ ନାହିଁ । ତାଙ୍କ ପାସପୋର୍ଟ ଜବତ କରାଯିବ । ବିଡ଼ମ୍ବନାର କଥା ଯେ, ଯେଉଁ ଇଂରେଜମାନେ ରାଜଦ୍ରୋହ ଆଇନ ଆଣିଥିଲେ, ନିଜ ଦେଶରେ ଅନୁରୂପ ଆଇନକୁ ସେମାନେ ୨୦୧୦ରୁ ଉଚ୍ଛେଦ କରିଦେଇଛନ୍ତି ।