ସିଜନ୍ରୁ ବାଦ୍ ପଡ଼ିଲେ ଜାଡ଼େଜା
ଆଘାତ ପରେ…
ମୁମ୍ବାଇ, ୧୧ା୫ (ଏଜେନ୍ସି): ଆଇପିଏଲ୍ରେ ପ୍ଲେ-ଅଫ୍ରେ ପହଞ୍ଚିବା ପାଇଁ ସଂଘର୍ଷ ଚଳାଇଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଚିନ୍ତାଜନକ ଖବର । ଟିମ୍ର ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆଘାତଜନିତ କାରଣରୁ ଆଇପିଏଲ୍ର ଚଳିତ ସିଜନ୍ରୁ ବାଦ୍ ପଡ଼ିଛନ୍ତି ।
ରିପୋର୍ଟ ଅନୁଯାୟୀ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା । ଏହି କାରଣରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶରୁ ବାହାରେ ଥିଲେ ।
ଚେନ୍ନାଇ ଏବେ ୮ ପଏଣ୍ଟ ପାଇଛି ଏବଂ ତା’ର ଆହୁରି ତିନିଟି ମ୍ୟାଚ୍ ବାକି ଅଛି । ଚେନ୍ନାଇ ଏଭଳି ସ୍ଥିତିରେ ଅଛି ଯେ ତାକୁ ଅବଶିଷ୍ଟ ସମସ୍ତ ମ୍ୟାଚ୍ ଜିତି ୧୪ ପଏଣ୍ଟ ହାସଲ କରିବାକୁ ହେବ ଏବଂ ଅନ୍ୟ ଟିମ୍ର ଫଳାଫଳ ଉପରେ ବି ନିର୍ଭର କରିବାକୁ ହେବ । ଯେହେତୁ ଚାରି ଟିମ୍ର ୧୪ ପଏଣ୍ଟ ରହିଛି, ଏପରି ସ୍ଥଳେ ରନ୍ରେଟ୍ ବି ଗୁରୁତ୍ୱପୂର୍ଣ୍ଣ ହେବ ।
ନେତୃତ୍ୱ ଛାଡ଼ିଥିଲେ, ପ୍ରଦର୍ଶନରେ ବି ବିଫଳ
ଆଇପିଏଲ୍ ସିଜନ୍ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ସିଏସ୍କେ ଅଧିନାୟକତ୍ୱ ରବୀନ୍ଦ୍ର ଜାଡ଼େଜାଙ୍କୁ ଅର୍ପଣ କରିଥିଲେ; ହେଲେ ଆଠଟି ମ୍ୟାଚ୍ ପରେ ଜାଡ଼େଜା ପୁଣି ଥରେ ଧୋନିଙ୍କୁ ନେତୃତ୍ୱ ହସ୍ତାନ୍ତର କରିଥିଲେ । ଜାଡ଼େଜାଙ୍କ ଅଧିନାୟକତ୍ୱରେ ଟିମ୍ ଦୁଇଟି ମ୍ୟାଚ୍ ଜିତିଥିଲା ।
ଜାଡ଼େଜା ଚଳିତ ସିଜନ୍ରେ ସିଏସ୍କେ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଫ୍ରାଞ୍ଚାଇଜୀ ତାଙ୍କୁ ୧୬ କୋଟି ଟଙ୍କାର ବଡ଼ ଅର୍ଥରାଶି ଦେଇ ରିଟେନ୍ କରିଥିଲା । ଖାଲି ସେତିକି ନୁହେଁ, ତାଙ୍କୁ ଟିମ୍ର ଅଧିନାୟକତ୍ୱ ବି ଦିଆଯାଇଥିଲା । କିନ୍ତୁ ଫ୍ରାଞ୍ଚାଇଜୀ ଓ ପ୍ରଶଂସକଙ୍କ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ । ଜାଡ଼େଜାଙ୍କ ନେତୃତ୍ୱରେ ସିଏସ୍କେ ଆଠଟିରୁ ଛଅଟି ମ୍ୟାଚ୍ ହାରିଥିଲା । ବ୍ୟାଟିଂରେ ବି ସେ ନିରାଶ କରିଥିଲେ । ସେ ୧୦ ମ୍ୟାଚ୍ରେ ମାତ୍ର ୧୧୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଅପରାଜିତ ୨୬ ରନ୍ ତାଙ୍କ ସିଜନ୍ର ସର୍ବୋଚ୍ଚ ସ୍କୋର୍ ଥିଲା । ବୋଲିଂରେ ସେ ୫ ୱିକେଟ୍ ନେଇଥିଲେ ।