ଭାଙ୍ଗିଲା ଆରପଟା ଅସ୍ଥାୟୀ ପୋଲ

ଏନ୍ଜିଟି ଛାଟ ପରେ ଚେତିଲା ପ୍ରଶାସନ
ବେତନଟୀ (ଆପ୍ର): ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ତହସିଲର ବହୁଚର୍ଚ୍ଚିତ ଆରପଟା ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ବାବଦରେ ଏନ୍ଜିଟି ଛାଟ ପଡ଼ିବା ପରେ ବଡ଼ସାହି ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଦୁଇଟି ବାଲିଘାଟର ବେଆଇନ ବାଲି ଉତ୍ତୋଳନ ବାବଦରେ ରିପୋର୍ଟ ଏନ୍ଜିଟିକୁ ଯାଇଥିବାରୁ ଏହା ଉପରେ ପ୍ରଶାସନ ୧୪୪ ଧାରା ଜାରି କରିଥିଲା । ଏବେ ଆରପଟା ବାଲିଘାଟ ନଦୀ ପାଣିକୁ ଅବରୋଧ କରି ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲକୁ ପ୍ରଶାସନ ଭାଙ୍ଗି ଦେଇଛି । ବେତନଟୀ ତହସିଲର୍ ରାଜସ୍ୱ କର୍ମଚାରୀ ଓ ପୁଲିସ ବଳ ଉପସ୍ଥିତ ରହି ଏହି ଅସ୍ଥାୟୀ ପୋଲକୁ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି ।
କାଠ ଭାଡ଼ି, ବାଲି ବସ୍ତା ଓ ମୋରମରେ ତିଆରି ଏହି ଅସ୍ଥାୟୀ ପୋଲ ସହାୟତାରେ ଶହଶହ ସଂଖ୍ୟାରେ ଡମ୍ଫର, ହାଇୱା, ଟ୍ରକ, ଟ୍ରାକ୍ଟର ଆରପଟା ବାଲି ଘାଟରୁ ରାତ୍ରି ଦିନ ବାଲି ଉତ୍ତୋଳନ କରି ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ଅନ୍ୟପକ୍ଷରେ ଏହି ଅସ୍ଥାୟୀ ପୋଲ ହେତୁ ଗୋଟିଏ ପଟରେ ଥିବା ବାଲି ଅନ୍ୟ ପଟକୁ ପାର ହୋଇ ମୁଖ୍ୟ ରାସ୍ତାଦେଇ ପରିବହନ ହେଉଥିଲା । ଏହି ବାଲି ଘାଟରେ ପଟାଦାର ପ୍ରଦୀପ ବିନ୍ଧାଣୀଙ୍କ ନାମରେ ଏକ କଂକି୍ରଟ୍ ଫଳକ ଲଗାଯାଇ ଥିବା ଦେଖାଯାଇଛି । ଏହି କଂକ୍ରିଟ୍ ଫଳକରେ ୫ ବର୍ଷର ମିଆଦ ଲେଖାଯାଇଛି । ଏହା ବ୍ୟତୀତ ଏଥିରେ ପିରିଅଡ ଅଫ ଡିପୋଜିଟ ୨୦୨୧-୨୨ ବୋଲି ଲେଖା ଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *