ଓଡ଼ିଶାରେ ପ୍ରଭାବଶୂନ୍ୟ
ଦୁର୍ବଳ ହେଲା ‘ଅସାନି’
ଭୁବନେଶ୍ୱର,୧୧ା୫ (ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନି ଦୁର୍ବଳ ହେବାରେ ଲାଗିଛି । ଭୀଷଣ ବାତ୍ୟାରୁ ବାତ୍ୟା ଏବଂ ପରେ ଗଭୀର ଅବପାତ ରୂପ ନେଇଛି । ଓଡ଼ିଶାରେ ଅସାନିର ସେଭଳି କୌଣସି ପ୍ରଭାବ ପଡ଼ିନଥିବାବେଳେ ଆନ୍ଧ୍ରପ୍ରଦେଶର ୭ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର କାକିନାଡା ଓ ମଛଲିପଟନମ୍ ନିକଟରେ ଏହା ଉପକୂଳ ଛୁଇଁଛି । ଏବେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ସମୁଦ୍ର କୂଳ ଦେଇ ପୁଣିଥରେ ସମୁଦ୍ର ଭିତରକୁ ଚାଲିଯିବ । ଗୁରୁବାର ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ବାତ୍ୟା ଯୋଗୁ ଓଡ଼ିଶା ପ୍ରତି ସେଭଳି କୌଣସି ବିପଦ ଆଶଙ୍କା ନଥିବା ଭାରତୀୟ ପାଣିପାଗ ତଥ୍ୟ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।
ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଥିଲା ।
ହେଲେ ଆକଳନ ଅନୁସାରେ ଭଲ ବର୍ଷା ବି ହେଲା ନାହିଁ । ତେବେ ଅସାନି ଗଲା ପରେ ପୁଣି ରାଜ୍ୟକୁ ତାତି ଫେରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର କହିବା ଅନୁସାରେ, ବାତ୍ୟା ଅସାନି ଆନ୍ଧ୍ର ଉପକୂଳର କାକିନାଡ଼ା-ନର୍ସପୁର ମଧ୍ୟରେ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବା ପରେ ଡିପ ଡିପ୍ରେସନ ରୂପ ନେଇଛି । ଗୁରୁବାର ସକାଳ ସୁଦ୍ଧା ସମୁଦ୍ରକୁ ପୁଣି ପଶିବ । ସମୁଦ୍ରକୁ ଫେରିବା ବେଳକୁ ଅବପାତରେ ପରିଣତ ହୋଇଥିବ ।
ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିଛନ୍ତି, ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗଜପତିରେ ୨୨.୯ ମିମି, ନୟାଗଡ଼ରେ ୧୯.୬ ମିମି ବର୍ଷା ହୋଇଛି । ବ୍ଲକ ହିସାବରେ ଘସିପୁରାରେ ସର୍ବାଧିକ ୭୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶର ବହୁ ଜିଲ୍ଲାରେ ବର୍ଷା ହୋଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରବଳ ବର୍ଷା ଜାରି ରହିଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦୁ୍ୟତ ଖୁଣ୍ଟ ଉପୁଡିଛି । ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ରେ‡ୀ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ କୌଣସି ପରିସ୍ଥିତିରେ ମଧ୍ୟ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି । ଗୋଦାବରୀ ସହରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବର୍ଷା ପବନରେ କାର୍ଯ୍ୟକ୍ରମର ଟେଣ୍ଟ ଉଡ଼ିଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅସାନି ଦକ୍ଷିଣ-ପଶ୍ଚିମ ଆଡ଼କୁ ଗତି କରୁଛି । ଅସାନି ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ତେବେ ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେବା ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଥିବା ଜଣାପଡ଼ିଛି ।
ଓଡ଼ିଶା ପ୍ରତି ବାତ୍ୟା ବିପଦ ନଥିଲେ ବି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି, ଯଦି କେଉଁଠି କିଛି ସ୍ଥାନୀୟସ୍ତରରେ ସମସ୍ୟା ଦେଖାଯାଏ ତାହେଲେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ମୁତୟନ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ପରିସ୍ଥିତିର ମୁକାବିଲା କରିପାରିବେ । ବାତ୍ୟା ଗୁରୁବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବାକୁ ଥିବାରୁ ଏହାର ପ୍ରଭାବରେ ୪ଠରୁ ୫ଠ କିମି ବେଗରେ ପବନ ସହ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ସମେତ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଭିତରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ଯୋଗୁ ବିଶେଷ କ୍ଷତି ସମ୍ଭାବନା ନାହିଁ ।