ପୁଲିସ କବ୍ଜାରେ ୪ ଲୁଟେରା, ଅଳଙ୍କାର ଜବତ
ବ୍ରହ୍ମପୁର (ବୁ୍ୟରୋ): ବୁଧବାର ବଡ଼ି ଭୋର ଗୋପାଳପୁର ପୁଲିସ୍ ଜାତୀୟ ରାଜପଥ ଡୁରା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ନିକଟସ୍ଥ କଳିଙ୍ଗବିହାର ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଚୋରି କରିବାକୁ ଯୋଜନା କରୁଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିବା ଜଣାପଡ଼ିଛି । ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ସହ ତାଙ୍କ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉକରି ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ଲୁଟେରା ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ହେଲେ ସଦର ଥାନା ଅଧୀନ ବାଲିପଡ଼ା ଗ୍ରାମର ଟୁନା ପାତ୍ର (୩୫), ତାଙ୍କ ଭାଇ ଗଣେଶ ପାତ୍ର (୩୭), ସେହି ଗ୍ରାମର ଟି.ବିଷୁ (୩୪) ଓ ବଡ଼ବଜାର ଥାନା ଅଧୀନ ବାଉରୀ ସୁକୁଣ୍ଡାର କେ.ପ୍ରକାଶ (୨୮) ।
ଲୁଟ ନେଇ ଖୋଳତାଡ଼ କରିବାରେ ସେମାନେ ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ । ଗତ କିଛିଦିନ ତଳେ ସଦର ଥାନା ଅଧୀନ ବ୍ରଜନଗର ଓ ଗୋପାଳପୁର ଥାନା ଅଧୀନ ଭକ୍ତ ସାଲବେଗ ନଗର, ବାହାଦୁରପେଟା ଅଞ୍ଚଳରେ ତାଲା ବନ୍ଦ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ । ସେମାନେ ଲୁଚାଇ ରଖିଥିବା ସୁନା ଅଳଙ୍କାର ମଧ୍ୟ ପୁଲିସ୍ ଜବତ କରିଛି । ଏଥିରେ ସଦର ଥାନା ପୁଲିସ୍ ମଧ୍ୟ ସହଯୋଗ କରିଥିବା ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨ଟି ଲୁହା ରଡ୍, ଖଣ୍ଡା, ଟର୍ଚ୍ଚ ଲାଇଟ୍, ୨ଟି ହାତ ବୋମା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହା ସହ ୨୩୫ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବା ଏସ୍ଡିପିଓ କହିଛନ୍ତି । ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଦୀର୍ଘଦିନଧରି ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଥିବା ତାଲା ବନ୍ଦ ଘରକୁ ଟାର୍ଗେଟକରି ଲୁଟ୍ କରୁଥିଲେ ।