ପିଏମ୍ କିଷାନରେ ୬.୧୮ ଲକ୍ଷ ଅଯୋଗ୍ୟ
ନୂଆଦିଲ୍ଲୀ, ୧୧ା୫: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । କିନ୍ତୁ ଅନେକ ସ୍ୱଚ୍ଛଳ ଚାଷୀ ସରକାରଙ୍କୁ ଭୁଲ୍ ତଥ୍ୟ ଦେଇ ଏହି ସହାୟତା ରାଶି ହାତେଇଛନ୍ତି । ଏପରି ୬ ଲକ୍ଷ ୧୮ ହଜାର ‘ଅପାତ୍ର କିଷାନ’ ଏବେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରଠାରୁ ସହାୟତା ରାଶି ନ ଫେରାଇଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏହି ମର୍ମରେ ସରକାର ଆଦେଶ ଜାରି କରିଛନ୍ତି ।
କେବଳ ଉତ୍ତର ପ୍ରଦେଶରେ ୩ ଲକ୍ଷ ୧୫ ହଜାର ୧୦ଜଣ ଅପାତ୍ର ଚାଷୀ ଚିହ୍ନଟ ହୋଇଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ କିଷାନ ସମ୍ମାନ ନିଧି ଅନୁଯାୟୀ ସହାୟତା ରାଶି ପାଇ ଆସୁଥିଲେ । ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ପଠାଯିବା ଲାଗି ବ୍ୟବସ୍ଥା ହେଉଥିବାବେଳେ ଅପାତ୍ର ଚାଷୀଙ୍କ ଜାଲିଆତି ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ଯୋଜନା ସହ ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି ଯେ, ଅଯୋଗ୍ୟ ଚାଷୀମାନଙ୍କ ସମ୍ପର୍କରେ ଡାଟା ପ୍ରସ୍ତୁତି ଚାଲିଥିବା କାରଣରୁ ପରବର୍ତ୍ତୀ କିସ୍ତି ଅର୍ଥ ପ୍ରଦାନରେ ବିଳମ୍ବ ହେଉଛି । ଚିହ୍ନଟ ପ୍ରକ୍ରିୟା ପୂର୍ଣର୍ାଙ୍ଗ ହେବା ପରେ ଏକାଦଶ କିସ୍ତି ଜାରି ହେବ । ପୁୂନଶ୍ଚ ଅଯୋଗ୍ୟ ଚାଷୀଙ୍କ ଯୋଗୁ ଦେଶର ଲକ୍ଷ ଲକ୍ଷ ଯୋଗ୍ୟ ଚାଷୀ ପିଏମ୍ କିଷାନ ସମ୍ମାନ ନିଧି ଧନ ରାଶି ପାଇବାରୁ ବଞ୍ଚôତ ହେଉଛନ୍ତି ।
କେନ୍ଦ୍ର ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଢ଼ା ଯାଇ ସବୁ ହିତାଧିକାରୀଙ୍କ କେୱାଇସି ମେ’ ୩୧ ସୁଦ୍ଧା ସଂଗ୍ରହ ବ୍ୟବସ୍ଥା କରାଯାଉଛି । ଏ ପର୍ଯ୍ୟନ୍ତ ମାତ୍ର ୫୩% ହିତାଧିକାରୀଙ୍କ କେୱାଇସି ପୂର୍ଣ୍ଣାଙ୍ଗ ହୋଇଛି । ହିତାଧିକାରୀମାନେ ପିଏମ୍ କିଷାନ ସମ୍ମାନ ନିଧି ପୋର୍ଟାଲ୍ କିମ୍ବା କମନ୍ ସର୍ଭିସ୍ ସେଣ୍ଟର ମାଧ୍ୟମରେ କେୱାଇସି ଦାଖଲ କରିପାରିବେ । ଅନ୍ୟଥା ସେମାନଙ୍କୁ ଆଗାମୀ କିସ୍ତି ମିଳିବ ନାହିଁ ।
ଯେଉଁ ଚାଷୀଙ୍କ ଦୁଇ ହେକ୍ଟରରୁ କମ୍ ଚାଷୋପଯୋଗୀ ଜମି ଅଛି, ସେମାନେ ପିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା ରାଶି ପାଇବାକୁ ଯୋଗ୍ୟ । କିନ୍ତୁ ଲକ୍ଷ ଲକ୍ଷ ଚାଷୀ ନିଜକୁ ଗରିବ ଦର୍ଶାଇ ଏହି ଯୋଜନାରେ ଲାଭବାନ ହେଉଛନ୍ତି । ଇ-କେୱାଇସି ଡାଟା ବେସ୍ ପ୍ରସ୍ତୁତ କରି ସରକାର ଅଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରୁଛନ୍ତି ।
ପ୍ରତି ଚାରିମାସ ଅନ୍ତରାଳରେ କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ଷକୁ ତିନି କିସ୍ତିରେ ମୋଟ୍ ୬ ହଜାର ଟଙ୍କା ପଠାଯାଉଛି । ପ୍ରଥମ କିସ୍ତି ଏପ୍ରିଲ୍ରୁ ଜୁଲାଇ ଭିତରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଓ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଦିଆଯାଉଛି । ଏ ପର୍ଯ୍ୟନ୍ତ ୧୦ଟି କିସ୍ତିରେ ଚାଷୀଙ୍କୁ ଟଙ୍କା ଦିଆଗଲାଣି ।