ରାସ୍ତାରେ ସେନାର ଫ୍ଲାଗ୍ ମାର୍ଚ୍ଚ

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ
ପଦ ଛାଡ଼ିବେ କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ଣ୍ଣର, ଭାରତ ଆସିନାହାନ୍ତି ମହିନ୍ଦା ରାଜପକ୍ଷେ
କଲମ୍ବୋ (ଏଜେନ୍ସି): ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି ହେବା ସତ୍ତ୍ୱେ ହିଂସା ଥମିବାର ନାଁ ଧରୁନି । ଦିନକ ପୂର୍ବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରକୁ ଉତ୍ତ୍ୟକ୍ତ ଶ୍ରୀଲଙ୍କାବାସୀ ପୋଡିଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ, ସେନାକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିବା ଜାଣିବାକୁ ମିଳିଛି । ବିକ୍ଷୋଭକାରୀମାନେ ବିଭିନ୍ନ ସରକାରୀ ଭବନରେ ନିଆଁ ଲଗାଇଦେଉଛନ୍ତି । ହିଂସା ତଥା ଅଣାୟତ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସେନା ମୁତୟନ କରାଯାଇଛି । ବୁଧବାର ଶ୍ରୀଲଙ୍କା ରାଜରାସ୍ତାରେ ସେନା ଫ୍ଲାଗମାର୍ଚ କରିବା ସହ ସେନା ଗାଡ଼ି ବୁଲୁଥିବା ଦେଖାଯାଇଛି ।
ଅନ୍ୟପକ୍ଷରେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ପି. ନନ୍ଦଲାଲ ବୀରସିଂଘେ ନିଜ ପଦଛାଡ଼ିବାକୁ ସଂକେତ ଦେଇଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦେଶରେ ରାଜନୈତିକ ସ୍ଥିରତା ନ ଫେରିଲେ ସେ ନିଜ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ ରାଜନୈତିକ ସ୍ଥିରତା ବିନା ଅର୍ଥନୀତିରେ ସୁଧାର ଆସିବା ସମ୍ଭବ ନୁହେଁ । ପ୍ରକାଶ, ଶ୍ରୀଲଙ୍କା ଏବେ ଋଣଗ୍ରସ୍ତ ହୋଇପଡିଛି । ଶ୍ରୀଲଙ୍କା ଉପରେ ଏବେ ପ୍ରାୟ ୧୫୫ ବିଲିୟନ ଡଲାରର ବିଦେଶୀ ଋଣ ରହିଛି । ତେବେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହୋଇଯାଇଛି ଯାହାଫଳରେ ଶ୍ରୀଲଙ୍କା ବିଦେଶରୁ ଖାଦ୍ୟସାମଗ୍ରୀ ଆମଦାନୀ ମଧ୍ୟ କରିପାରୁନାହିଁ । ଚୀନଠାରୁ ଶସ୍ତା ଋଣ ଅ ।ଣି ଶ୍ରୀଲଙ୍କା ଧୀରେ ଧୀରେ ଋଣଗ୍ରସ୍ତ ହୋଇପଡିଥିବା କୁହାଯାଉଛି । ତେବେ ଦେଶର ଏପ୍ରକାର ସ୍ଥିତି ପାଇଁ ରାଜପକ୍ଷେ ପରିବାରକୁ ଶ୍ରୀଲଙ୍କାବାସୀ ଦୋଷାରୋପ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବେ ବି ଇସ୍ତଫା ନଦେବା ଦାବିରେ ଅଡିବସିଛନ୍ତି, ଯାହାକି ଦେଶବାସୀଙ୍କୁ ଅଧିକ ଉତ୍ତେଜିତ କରିଦେଇଛି ।
ଏସବୁ ମଧ୍ୟରେ ମହିନ୍ଦା ରାଜପକ୍ଷେ ନିଜ ପରିବାର ସହ ଭାରତ ପଳାଇଆସିଥିବା ଏବଂ କୌଣସି ଏକ ଅଜ୍ଞାତ ସ୍ଥାନରେ ଶରଣ ନେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମହିନ୍ଦା ରାଜପକ୍ଷେ ଭାରତ ଆସିନଥିବା ନେଇ ଶ୍ରୀଲଙ୍କା ସ୍ଥିତ ହାଇକମିଶନ୍ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଶ୍ରୀଲଙ୍କା ଗଣମାଧ୍ୟମରେ ପ୍ରସାରିତ ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଭାରତୀୟ ହାଇକମିଶନ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *