୨ଠ-୩ଠ ବର୍ଷ ଯାଏ ଚାଲିବ ବିଜେପିର ରାଜନୀତି

କଂଗ୍ରେସ ନେତାମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି: ପିକେ
ନୂଆଦିଲ୍ଲୀ (ଏଜେନ୍ସି): ନିଜକୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ବୋଲାଉଥିବା ପ୍ରଶାନ୍ତ କିଶୋର (ପିକେ)ଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ୍ ପକ୍ଷରୁ ଆୟୋଜିତ ଏକ ରାଜନୈତିକ କନ୍କ୍ଲେଭ୍ରେ ସାମିଲ ହେବା ପୂର୍ବକ ପିକେ କହିଛନ୍ତି, ଭାରତୀୟ ରାଜନୈତିକ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟି ଦେଲେ ଜାତୀୟ ରାଜନୀତି ଆଗାମୀ ୨ଠ-୩ଠ ବର୍ଷ ପର୍ଯ୍ୟନ୍ତ କେବଳ ବିଜେପି ଇଙ୍ଗିତରେ ପରିଚାଳିତ ହେବ । ଅର୍ଥାତ୍ ଦେଶରେ ଏକ ଲମ୍ବା ସମୟ ଧରି କେବଳ ବିଜେପିର ରାଜନୀତି ଦେଖିବାକୁ ମିଳିବ ବୋଲି ସେ ଅନୁଭବ କରୁଛନ୍ତି ।
ସେହିପରି ବିରୋଧୀ ଦଳ କଂଗ୍ରେସ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି, କଂଗ୍ରେସ ନେତାମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । କଂଗ୍ରେସ ଏବେ ବିରୋଧୀଙ୍କ ଭଳି ଆଚରଣ କରୁନାହିଁ । ବିରୋଧୀ ଦଳର ଭୂମିକାକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଉନାହିଁ । ବିଜେପି ସରକାର ପ୍ରତି ବିତସ୍ପୃହ ହୋଇ ଦେଶବାସୀ ହିଁ ମୋଦି ସରକାରକୁୂ କ୍ଷମତାଚୁ୍ୟତ କରିବେ ବୋଲି କଂଗ୍ରେସ ଏକ ଭ୍ରାନ୍ତ ଧାରଣା ପୋଷଣ କରି ବସିଛି । ପିକେଙ୍କ କହିବାନୁସାରେ କଂଗ୍ରେସକୁ ପ୍ରଥମେ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି । ମିଛ ଅହଂକାରର ବଶବର୍ତ୍ତୀ ହୋଇ କଂଗ୍ରେସ ନେତାମାନେ ଅନ୍ୟ ଦଳଙ୍କ ସହଯୋଗରେ ବିଜେପିକୁ ପରାଜିତ କରିଦେବେ ବୋଲି ଚିନ୍ତା କରୁଛନ୍ତି, ଯାହାକି କେବେ ବି ସାକାର ହେବନି ।
ପ୍ରକାଶ, କଂଗ୍ରେସ ସହ ପିକେଙ୍କ ଦୀର୍ଘକାଳୀନ ଆଲୋଚନା, କଂଗ୍ରେସକୁ ୨ଠ୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରି ସେ ହସ୍ତାନ୍ତର କରିବା ଏବଂ କଂଗ୍ରେସରେ ବିଧିବଦ୍ଧ ସାମିଲ ହେବା ଭଳି ଚର୍ଚ୍ଚା ସବୁକିଛି ବିଫଳ ହୋଇଯାଇଥିଲା । ପିକେ, କଂଗ୍ରେସ ଠାରୁ ଦୂରେଇ ରହିଲେ । ଅନ୍ୟପକ୍ଷେ ପିକେ ଦେଇଥିବା ପରାମର୍ଶକୁ କିନ୍ତୁ କଂଗ୍ରେସ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ପିକେ ନିଜ ପରାମର୍ଶରେ କଂଗ୍ରେସକୁ କହିଥିଲେ ଯେ, ୨ଠ୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳକୁ ସାଂଗଠନିକ ସ୍ତରରୁ ସୁଦୃଢ଼ କରିବାକୁ ହେବ । କଂଗ୍ରେସ ଏବେ ରାଜସ୍ଥାନରେ ଆସନ୍ତା ୧୩ରୁ ଆୟୋଜନ କରିବାକୁ ଥିବା ଚିନ୍ତନ ଶିବିରରେ ଏସମ୍ପର୍କରେ ବିଚାରବିମର୍ଶ କରିବ ବୋଲି ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *