ଏସ୍ସିବି ଭିତ୍ତିଭୂମି ଅଧିକ କ୍ରିୟାଶୀଳ ହେବ

କଟକ (ବୁ୍ୟରୋ): ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ସ୍ୱାସ୍ଥ୍ୟ ବିକାଶ ସମିତି ସାଧାରଣ ପରିଷଦ ବୈଠକ ବୁଧବାର ପୂର୍ବାହ୍ଣରେ କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆରଡିସି ଡ. ସୁରେଶ ଚନ୍ଦ୍ର ଦଳାଇ ଅଧ୍ୟକ୍ଷତା କରି ଏସ୍ସିବିର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଅଧିକ କ୍ରିୟାଶୀଳ ପୂର୍ବକ ସମସ୍ତ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ପ୍ରୟୋଗରେ ଜନସାଧାରଣଙ୍କୁ ଉନ୍ନତମାନର ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ।
ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ବିନାଦେୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ବିକାଶ ସମିତି ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିଆସୁଛି । ଶବ ବ୍ୟବଚ୍ଛେଦ ନିମନ୍ତେ ଉଦ୍ଦିଷ୍ଟ ଶୀତତାପ ନିୟନ୍ତ୍ରିତ କୋଠରୀରେ ଚାରିଥାକ ବିଶିଷ୍ଟ ଡ୍ରୟରର ସଂଖ୍ୟାରେ ବୃଦ୍ଧି କରିବା ନେଇ ବୈଠକରେ ଆଲୋଚନା ହେବା ସହ ଅତିରିକ୍ତ ୧୨ ଡ୍ରୟର କ୍ରୟ ନିମନ୍ତେ ନିଷ୍ପତ୍ତି ହୋଇଛି । ଷ୍ଟ୍ରେଚର ବାହକଙ୍କ ସଂଖ୍ୟାବୃଦ୍ଧି ଓ ଅତିରିକ୍ତ ଛଅଗୋଟି ବ୍ୟାଟେରୀ ଚାଳିତ ଆମ୍ବୁଲାନ୍ସ ଯୋଗାଇଦେବା ନିମନ୍ତେ ଓଡ଼ିଶା ଖଣିନଗମକୁ ଅନୁରୋଧ କରାଯିବ ବୋଲି ରାଜସ୍ୱ ଆୟୁକ୍ତ ସୂଚନା ଦେଇଛନ୍ତି । ଅତିରିକ୍ତ ୧୨ ଜଣ ତଥ୍ୟ ପଞ୍ଜୀକରଣ ସଞ୍ଚାଳକ, ଚାରିଜଣ ଇସିଜି ବୈଷୟିକ ସହାୟକ ଓ ରେଡିଓ ଗ୍ରାଫରଙ୍କୁ ସ୍ୱାସ୍ଥ୍ୟ ବିକାଶ ସମିତି ମାଧ୍ୟମରେ ନିଯୁକ୍ତି ଦିଆଯିବ । ଏତବ୍ୟତୀତ ଜନସାଧାରଣଙ୍କୁ ଉଚ୍ଚମାନର ସେବା ଯୋଗାଇଦେବା ନିମନ୍ତେ ୧୦୦ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ଓ ରେକର୍ଡ଼ ଗୃହରେ ନଥିର କମ୍ପୁ୍ୟଟରୀକରଣ କରାଯିବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଏସ୍ସିବିର ଉପାଧ୍ୟକ୍ଷ ପ୍ରଫେସର ଡକ୍ଟର ବନବିହାରୀ ମିଶ୍ର, ଏସସିବି ଅଧିକ୍ଷକ ତଥା ସ୍ୱାସ୍ଥ୍ୟ ବିକାଶ ସମିତି ସଚିବ ପ୍ରଫେସର ଡାକ୍ତର ଲୁସି ଦାସ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *