ଏନ୍ଏଚ୍ଏଆଇର ଅସହଯୋଗ

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲିଟିଛି । ଗତ ୧୦ ବର୍ଷରେ ପ୍ରାୟ ୪୫ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଓ ମୃତୁ୍ୟ ରୋକିବା ଉପରେ ସୁପ୍ରିମକୋର୍ଟ କମିଟି, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ଏନ୍ଏଚ୍ଏଆଇ ମନ୍ମାନି କରୁଥିବା ଅଭିଯୋଗ ହୋଇଛି ।
ମୟୁରଭଞ୍ଜ ଜିଲ୍ଲାର ବିପଦପୂର୍ଣ୍ଣ ସ୍ପଟ୍ ହେଉଛି ଦ୍ୱାରଶୁଣୀଘାଟ । ପ୍ରତି ମାସରେ ଏଠାରେ ୨-୩ଟି ଦୁର୍ଘଟଣା ଘଟିଥାଏ । ଡିଆରଏସ୍ସି ବୈଠକରେ ଏହି ସମସ୍ୟା ଉପରେ ନିୟମିତ ଆଲୋଚନା ହେଉଛି । ହେଲେ ଏନ୍ଏଚ୍ଏଆଇ ପକ୍ଷରୁ ଅସହଯୋଗ କରାଯାଉଛି । ଡିଆରଏସ୍ସି ବୈଠକରେ ଯୋଗଦେବା ପାଇଁ ଡକାଯିବା ସତ୍ତ୍ୱେ ଏନ୍ଏଚ୍ଏଆଇ, ବାଲେଶ୍ୱର ପିଡି ନିଜେ ଯୋଗ ଦେଉନାହାନ୍ତି କିମ୍ବା ତାଙ୍କର ପ୍ରତିନିଧିଙ୍କୁ ମଧ୍ୟ ପଠାଉନାହାନ୍ତି । ଯାହା ସଡ଼କ ସୁରକ୍ଷା ଦିଗରେ ଏନ୍ଏଚ୍ଏଆଇର ଅବହେଳା ମନୋଭାବକୁ ଦର୍ଶାଉଛି । ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଚିଠିକୁ ଆଧାର କରି ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଜାତୀୟ ରାଜପଥ ପ୍ରାଧିକରଣର ଚିଫ୍ ଜେନେରାଲ ମ୍ୟାନେଜର ଏବଂ ଆର୍ଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିସହ ଦ୍ୱାରଶୁଣୀଘାଟକୁ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍ଏଚ୍ଏଆଇ, ବାଲେଶ୍ୱର ପିଡିଙ୍କୁ ନିଦେ୍ର୍ଦଶ ଦେବାକୁ ସେ ଅନୁରୋଧ କରିଛନ୍ତି ।
ପ୍ରମୁଖ ସଚିବ ଶ୍ରୀ ଚିଠି ତାଙ୍କ ଚିଠିରେ ଲେଖିଛନ୍ତି, ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତୁ୍ୟ କମାଇବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଗତ ଦଶନ୍ଧିରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଯୁବ ଏବଂ ସେମାନଙ୍କ ପରିବାରର ରୋଜଗାରିଆ ଥିଲେ । ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୁରଭଞ୍ଜ ଜିଲ୍ଲା ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲା । ୨ଠ୨୧ରେ ଜିଲ୍ଲାରେ ୫୪ଠ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୩୧୨ ଲୋକଙ୍କ ଜୀବନ ଯାଇଛି । ୨ଠ୧୭-୧୯ ଦୁର୍ଘଟଣା ତଥ୍ୟ ଅନୁସାରେ ଜିଲ୍ଲାରେ ୧୩ଟି ବ୍ଲାକ୍ସ୍ପଟ୍ ରହିଛି । ନିୟମିତ ଭାବେ ଡିଆରଏସ୍ସି ବୈଠକ ପାଇଁ ସୁପ୍ରିମକୋର୍ଟ କମିଟି ଗୁରୁତ୍ୱ ଦେଇଛନ୍ତି । ବାଲେଶ୍ୱରର ଏନ୍ଏଚ୍ଏଆଇ ପିଡିଙ୍କ ତରଫରୁ ବୈଠକରେ ଯୋଗ ଦେଇଥିବା ପ୍ରତିନିଧି ୪ ଥାକିଆ କାମ ନ ସରିବା ଯାଏ ରାସ୍ତାର ମରାମତି ନେଇ ଅକ୍ଷମତା ପ୍ରକାଶ କରିଛନ୍ତି । କିନ୍ତୁ ମାନବଜୀବନ ଏତେ ଶସ୍ତା ନୁହେଁ ଯେ ୪ ଥାକିଆ ରାସ୍ତା ଶେଷ ନ ହେବା ଯାଏ ବଳି ଦିଆଯାଉଥିବ ।
ମୟୂରଭଞ୍ଜ ଆରଟିଓଙ୍କ ଦ୍ୱାରା ଦ୍ୱାରଶୁଣୀଘାଟ ଉପରେ ଏକ ସର୍ଭେ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫ୍ ନିଆଯାଇଥିଲା । ଫଟୋଗ୍ରାଫ୍ରୁ ସ୍ପଷ୍ଟ ଭାବେ ଜଣାଯାଉଛି ଯେ ସେଠାରେ ବହୁ ଗର୍ତ୍ତ ରହିଛି । ରାସ୍ତାରେ କୌଣସି ଡ୍ୟାମେଜ୍ କ୍ରାସ୍ ବ୍ୟାରିଅର ନଥିବାବେଳେ ସାଇନେଜ୍ କିମ୍ବା ରିଫ୍ଲେିକ୍ଟିଭ୍ ଟେପ୍ ଆଦି ନାହିଁ । ସଡ଼କର ଘୋର ଅବ୍ୟବସ୍ଥା ଏହି ଫଟୋରେ ଦେଖାଯାଉଛି । ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାର ବିସ୍ତାର ଅତ୍ୟନ୍ତ ନିମ୍ନସ୍ତରର । ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟରେ ଦୁର୍ଘଟଣା ଏବଂ ମୃତୁ୍ୟ କମାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ମଧ୍ୟ ଦେଶରେ ଦୁର୍ଘଟଣା ଏବଂ ମୃତୁ୍ୟ କମାଇବାକୁ ପ୍ରାଥମିକତା ଦେଉଛି । ହେଲେ ଓଡ଼ିଶାରେ ସଡ଼କ ସୁରକ୍ଷା ଦିଗରେ ଏନ୍ଏଚ୍ଏଆଇର ମନୋଭାବ ଅତି ନିରୁତ୍ସାହଜନକ । ଏହି ପରିପ୍ରେକ୍ଷୀରେ ଦ୍ୱାରଶୁଣୀଘାଟ ପରିଦର୍ଶନ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍ଏଚ୍ଏଆଇ, ବାଲେଶ୍ୱର ପିଡିଙ୍କୁ ନିଦେ୍ର୍ଦଶ ଦେବାକୁ ପ୍ରମୁଖ ସଚିବ ଶ୍ରୀ ସେଠୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହାସହ ମୟୁରଭଞ୍ଜ ଜିଲ୍ଲାପାଳ, ଆରଟିଓଙ୍କ ସହ ପରାମର୍ଶ କରି ତ୍ରୁଟି ଚିହ୍ନଟ ସହ ଏହାକୁ ସୁଧାରିବା ପାଇଁ ନିଦେ୍ର୍ଦଶ ଦିଆଯାଉ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *