କାଠଗଡ଼ାରେ ତାଜମହଲ

ଜୟପୁର (ଏଜେନ୍ସି): ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ‘ତାଜମହଲ’କୁ ନେଇ ଏବେ ଭାରତରେ ବିବାଦ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ତାଜମହଲର ବନ୍ଦ ପଡ଼ିଥିବା ୨ଠଟି ବଖରା ଖୋଲାଯିବାକୁ ଦାବି ଜୋର ଧରିଥିବା ବେଳେ ଏହାକୁ ଖୋଲାଯିବା ଦାବିରେ ଏବେ ଆହ୍ଲାବାଦ୍ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍ଙ୍କ ନିକଟରେ ପିଟିସନ୍ ଦାୟର କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)ଙ୍କୁ ଆଗ୍ରା ସ୍ଥିତ ତାଜମହଲ ଭିତରେ ଥିବା ୨ଠ ବଖରାକୁ ଖୋଲିବାକୁ ଏବଂ ଯାଞ୍ଚ୍ କରିବାକୁ ନିଦେ୍ର୍ଦଶ ଦେବା ପାଇଁ ଦାବି କରାଯାଉଛି । କେବଳ ସେତିକି ନୁହେଁ ଏକ ନିର୍ଦ୍ଦିଷ୍ଟ ହିନ୍ଦୁ ଗୋଷ୍ଠୀ ପକ୍ଷରୁ ତାଜମହଲକୁ ତେଜୋ ମହାଳୟ (ଶିବାଳୟ ବା ଶିବ ମନ୍ଦିର) ଭାବେ ମଧ୍ୟ ଦର୍ଶାଯାଉଛି । ଏସବୁ ମଧ୍ୟରେ ଆଉ ଏକ ନୂଆ ତଥ୍ୟ ସୂଚନା ସାମ୍ନାକୁ ଆସିଛି ।
ବିଜେପି ସାଂସଦ ତଥା ଜୟପୁର ରାଜ ପରିବାରର ସଦସ୍ୟ ଦୀୟା କୁମାରୀ ଦାବି କରିଛନ୍ତି ଯେ, ବାସ୍ତବରେ ତାଜମହଲ୍ ଯେଉଁ ସ୍ଥାନରେ ନିର୍ମାଣ କରାଯାଇଛି ତାହା ଜୟପୁର ରାଜ ପରିବାରର ପୈତୃକ ସମ୍ପତ୍ତି । ଏଠାରେ ରାଜପରିବାରର ଏକ ବିଶାଳ ପ୍ରାସାଦ (ମହଲ) ମଧ୍ୟ ରହିଥିଲା । ମାତ୍ର ଶାହାଜାହାନ୍ ସେତେବେଳେ ଏହାକୁ ବଳପୂର୍ବକ ରାଜପରିବାର ଠାରୁ ଅଧିକାର କରିନେଇଥିଲେ ଏବଂ ତାଜମହଲ ନିର୍ମାଣ କରାଇଥିଲେ । ସେସମୟରେ ଶାହାଜାହାନ୍ଙ୍କ ଶାସନ ଥିବାରୁ ରାଜପରିବାର ପକ୍ଷରୁ ଏହାକୁ ବିରୋଧ ମଧ୍ୟ କରାଯାଇପାରିନଥିଲା । ତେବେ ତାଜମହଲ ନିର୍ମାଣ ହୋଇଥିବା ସ୍ଥାନ ବାସ୍ତବରେ ଜୟପୁର ରାଜପରିବାରର ବୋଲି ତାଙ୍କ ପାଖରେ ଯଥେଷ୍ଟ ତଥା ବଳିଷ୍ଠ ପ୍ରମାଣ ଥିବା ଦୀୟା କୁମାରୀ ଦାବି କରିଛନ୍ତି । ଦୀୟା କୁମାରୀଙ୍କ କହିବାନୁସାରେ ସମ୍ପ୍ରତି ତାଜମହଲର ବନ୍ଦ ପଡ଼ିଥିବା ବଖରାଗୁଡ଼ିକୁ ଖୋଲାଯିବାକୁ କୋର୍ଟରେ ଆବେଦନ କରାଯାଇଥିବା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି । ଏଥିପାଇଁ ସେ ଆବେଦନକାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ତାଜମହଲ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଅଜଣା ରହିଥିବା ଏହି ସତ୍ୟକୁ ମଧ୍ୟ ଉଜାଗର କରିବାର ଏହା ହିଁ ପ୍ରକୃଷ୍ଟ ସମୟ ଚିନ୍ତା କରି ସେ ଏସମ୍ପର୍କରେ ସର୍ବସାଧାରଣରେ କହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦୀୟା କୁମାରୀ କହିଛନ୍ତି । ଦୀୟା କୁମାରୀଙ୍କ ଅନୁସାରେ ବାସ୍ତବିକ୍ ତାଜମହଲର ବନ୍ଦ ପଡ଼ିଥିବା ବଖରାଗୁଡ଼ିକୁ ଖୋଲଯାଇ ଯାଞ୍ଚ୍ କରାଯିବା ଦ୍ୱାରା ଅନେକ ରହସ୍ୟ ତଥା ସତ୍ୟ ବାହାରକୁ ଆସିପାରିବ ।
ତାଜମହଲ୍କୁ ନେଇ ଚାଲିଥିବା ତର୍କ ବିତର୍କ ମଧ୍ୟରେ ବିଜେପି ସାଂସଦ ତଥା ଜୟପୁର ରାଜ ପରିବାରର ସଦସ୍ୟ ଦୀୟା କୁମାରୀଙ୍କ ଏପ୍ରକାର ଦାବି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଦୀୟା କହିଛନ୍ତି, ସେ ତାଜମହଲକୁ ଭଙ୍ଗାଯାଉ ବୋଲି କହୁନାହାନ୍ତି, କିନ୍ତୁ ଏହା ମଧ୍ୟରେ ଲୁଚାଇଦିଆଯାଇଥିବା ରହସ୍ୟର ଉନ୍ମୋଚନ ହେବା ଜରୁରି । ଏଥିପାଇଁ ସେ ମଧ୍ୟ ତାଜମହଲର ବନ୍ଦ କୋଠରୀଗୁଡ଼ିକୁ ଖୋଲଯିବା ନେଇ ଦାବି କରିଛନ୍ତି । ଦୀୟାଙ୍କ ଏଭଳି ଦାବି ତାଜମହଲ ବିବାଦରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି କହିଲେ ଅତୁ୍ୟକ୍ତି ହେବନି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *