ଢେଙ୍କାନାଳ ଜିଲ୍ଲା ହେବ ଦ୍ୱିତୀୟ ହକି ହବ୍- ଜିଲ୍ଲାପାଳ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲାର କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ହକି କ୍ଲବ ଉଦ୍ଘାଟିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସରୋଜ କୁମାର ସେଠୀ ଢେଙ୍କାନାଳ ଜିଲ୍ଲାକୁ ଦ୍ୱିତୀୟ ହକି ହବ୍ ଭାବେ ପରିଚିତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକେ ୨୫ ଜଣ ପୁଅ ଏବଂ ୨୫ ଜଣ ଝିଅ ପିଲାଙ୍କୁ ନେଇ ହକି ଖେଳ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜୀବନ ସଂଗ୍ରାମ ମଧ୍ୟରେ ପାଠ ପଢା ସହିତ ଯେ କୌଣସି ଖେଳରେ ଉତ୍ସାବ ରଖି ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପିଲାମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କ ଗୁଣାତ୍ମକ ବିକାଶ ଦିଗରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି ।
ହକି ଖେଳରେ ଢେଙ୍କାନାଳ ଜିଲ୍ଲା ନିଶ୍ଚିତ ଭାବେ ବିଶେଷ ସ୍ଥାନ ହାସଲ କରିପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁ ଆଦର୍ଶ ଖେଳ ପଡିଆ କରାଯିବବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥିମାନେ ହକି ଖେଳୁଥିବା ପିଲାମାନଙ୍କୁ ହକି ଷ୍ଟିକ୍ ପ୍ରଦାନ କରିଥିଲେ । ବିଦ୍ୟାଳୟ ଖେଳ ପଡିଆରେ ବିଦ୍ୟାଳୟର ହକି ଖେଳାଳୀମାନେ ଢେଙ୍କାନାଳର ହକି ଖେଳାଳୀମାନଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିଥିଲେ । ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଗଁଦିଆ ବିଡିଓ ଆଶିଷ କୁମାର ସାହୁ, ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀଙ୍କସମେତ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସିଲ କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।