ଜଳୁଛି ଶ୍ରୀଲଙ୍କା

କଲମ୍ବୋ, ୧୦ା୫: ଗତ ୨୦ ବର୍ଷ ହେଲା ଶ୍ରୀଲଙ୍କା ରାଜନୀତିରେ ସବୁଠାରୁ ଶକ୍ତିଶାଳୀ ରହିଆସିଥିବା ମହିନ୍ଦା ରାଜପକ୍ଷେ ଦେଶବ୍ୟାପୀ ବିକ୍ଷୋଭ ଓ ବିଦ୍ରୋହ ଯୋଗୁ ଇସ୍ତଫା ଦେବାର ପରଦିନ ପ୍ରାଣରକ୍ଷା ପାଇଁ ସେନାର ଶରଣ ପଶିଛନ୍ତି । ମଙ୍ଗଳବାର ସକାଳେ ବାୟୁ ସେନା ହେଲିକପ୍ଟର ଯୋଗେ ମହିନ୍ଦାଙ୍କୁ ତାଙ୍କ ସରକାରୀ ବାସଭବନ ‘ଟେମ୍ପଲ୍ ଟ୍ରିଜ୍’ରୁ ରେସ୍କୁ୍ୟ କରି ଦେଶର ପୂର୍ବୋତ୍ତର ଇଲାକା ତି୍ରଙ୍କୋମାଳୀ ସ୍ଥିତ ନୌସେନା ଘାଟିକୁ ନିଆଯାଇଛି । ହଜାର ହଜାର ବିକ୍ଷୋଭକାରୀ ଟେମ୍ପଲ୍ ଟ୍ରିଜ୍କୁ ଘେରିଯାଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଉଦେ୍ଦଶ୍ୟରେ ପେଟ୍ରୋଲ୍ ବୋମା ଯୋଗେ ଆକ୍ରମଣ କରିଥିଲେ ।
ମହିନ୍ଦା ଓ ତାଙ୍କ ସାନ ଝିଅ ରୋହିତା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କଡ଼ା ସୁରକ୍ଷା ଘେରରେ ଏୟାର୍ଲିଫ୍ଟ୍ କରାଯାଇଥିଲା । ମହିନ୍ଦାଙ୍କ ପୁଅ ୟୋସିତା, ଯେ କି ପ୍ରଧାନମନ୍ତ୍ରୀଙ୍କ ସଚିବ ଭାବେ କାର୍ଯ୍ୟ କରିଆସୁଥିଲେ । ସେ ସପରିବାର ସୋମବାର ଦେଶ ଛାଡ଼ି ପଳାଇଥିବା ରିପୋର୍ଟ ମିଳିଛି ।
ଦେଶର ଭିନ୍ନ ଭିନ୍ନ ସହରରେ ରକ୍ତାକ୍ତ ସଂଘର୍ଷ ଲାଗି ରହିଥିବା ବେଳେ ଉଗ୍ର ବିକ୍ଷୋଭକାରୀଙ୍କୁ ରୋକିବା ଉଦେଶ୍ୟରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଖିବା ମାତ୍ରେ ଗୁଳି ଆଦେଶ ଜାରି କରାଯାଇଛି ।
ତା’ ସତ୍ତ୍ୱେ ରାଜଧାନୀ କଲମ୍ବୋ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ସେଠାରେ ସୁରକ୍ଷା ବାହିନୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଅବ୍ୟାହତ ରହିଛି । ବିକ୍ଷୋଭକାରୀମାନେ ମନ୍ତ୍ରୀମାନଙ୍କୁ ଆକ୍ରମଣ କରିବା ଲାଗି ଅନବରତ ଖୋଜୁଛନ୍ତି ।
ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବେୟବର୍ଦ୍ଧନେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସଂସଦ ଅଧିବେଶନ ଡାକିବା ଲାଗି ରାଷ୍ଟ୍ରପତି ଗୋତ ବାୟା ରାଜପକ୍ଷେଙ୍କୁ ଅନୁରୋଧ କରିଛନ୍ତି । ସଂସଦ ଅଧିବେଶନ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାର ଥିଳା । ବାଚସ୍ପତି କହିଛନ୍ତି, ବର୍ତ୍ତମାନ ଦେଶରେ କେହି ପ୍ରଧାନମନ୍ତ୍ରୀ ନାହାନ୍ତି, ତେଣୁ ସରକାର ନାହିଁ ।
ପୂର୍ବତନ ରାଷ୍ଟ୍ରପତି ଚନ୍ଦି୍ରକା ଭଣ୍ଡାରନାୟକେ କୁମାରତୁଙ୍ଗା ଚେତାବନୀ ଦେଇ କହିଛନ୍ତି, ରାଷ୍ଟ୍ରପତି ରାଜପକ୍ଷେ ଦେଶରେ ସାମରିକ ଶାସନ ଲାଗି ଷଡ଼ଯନ୍ତ୍ର ଚଳାଇଛନ୍ତି ।
ଆର୍ଥିକ ଓ ରାଜନୈତିକ ସଙ୍କଟକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଷ୍ଟ୍ରପତି ଦେଶବ୍ୟାପୀ କର୍ଫୁ୍ୟ ଅବଧିକୁ ବୁଧବାର ସକାଳ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ରାଷ୍ଟ୍ରପତି ଆଦେଶ ଦେଇଛନ୍ତି ମେ’ ୧୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କୌଣସି ରାସ୍ତା, ରେଳପଥ, ସର୍ବସାଧାରଣ ସ୍ଥାନରେ କିମ୍ବା ସମୁଦ୍ର କୂଳରେ କେହି ହେଲେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ, ୧୯୪୮ରେ ସ୍ୱାଧୀନତା ପାଇବା ପର ଠାରୁ ଶ୍ରୀଲଙ୍କାରେ ଆଜି ଭଳି ଆର୍ଥିକ ସଙ୍କଟ କେବେ ବି ଦେଖାଯାଇ ନ ଥିଲା । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସୁନ୍ୟ ହୋଇଯିବା ଉପରେ । ଫଳତଃ ବିଦେଶରୁ ଖାଦ୍ୟଦ୍ରବ୍ୟ, ଇନ୍ଧନ, ଔଷଧ, ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରାଯାଇପାରୁ ନାହିଁ । ସ୍ଥିତି ଏପରି ଯେ, ଲୋକେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଚୂଲିରେ ରୋଷଇ କରିବାକୁ ବାଧ୍ୟ ହେଉଛନ୍ତି । ଭାରତ ଛଡ଼ା ଅନ୍ୟ କୌଣସି ଦେଶ ଶ୍ରୀଲଙ୍କାକୁ ଆର୍ଥିକ ବା ଅନ୍ୟାନ୍ୟ ସହାୟତା ଦେଇ ନାହାନ୍ତି । ଶ୍ରୀଲଙ୍କାରେ ସ୍ଥିରତା ଫେରାଇ ଆଣିବା ଓ ଆର୍ଥିକ ସୁଧାର ପାଇଁ ଭାରତ ଏପର୍ଯ୍ୟନ୍ତ ୨୭ହଜାର କୋଟି ଟଙ୍କାର ସହାୟତା ଦେଇଛି । ଅର୍ଥମନ୍ତ୍ରୀ ଅଲୀ ସାବରୀ ଗତ ସପ୍ତାହରେ କହିଥିଲେ ଯେ, ଶ୍ରୀଲଙ୍କା ଦେବାଳିଆ ହେବାକୁ ଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *