ପ୍ଲେ-ଅଫ୍ରେ ଗୁଜରାଟ
ମୁମ୍ବାଇ, ୧୦ା୫ (ଏଜେନ୍ସି): ଆଇପିଏଲ୍ର ନୂଆ ଟିମ୍ ଗୁଜରାଟ ଟାଇଟନ୍ସ ଚଳିତ ସିଜନ୍ର ପ୍ରଥମ ଟିମ୍ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି । ମଙ୍ଗଳବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୫୭ତମ ମ୍ୟାଚ୍ରେ ଗୁଜରାଟ ୬୨ ରନ୍ରେ ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟ୍ସକୁ ପରାସ୍ତ କରିଛି । ଗୁଜରାଟର ଏହା ୧୨ ମ୍ୟାଚ୍ରୁ ନବମ ବିଜୟ ଏବଂ ଟିମ୍ ୧୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପଟେ, ଲକ୍ଷ୍ନୌର ଏହା ୧୨ ମ୍ୟାଚ୍ରୁ ଚତୁର୍ଥ ପରାଜୟ ଏବଂ ଟିମ୍ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି ।
୧୪୫ ରନ୍ର ସହଜ ବିଜୟଲକ୍ଷ୍ୟ ନେଇ ଖେଳିଥିବା ଲକ୍ଷ୍ନୌ ଟିମ୍ ୧୩.୫ ଓଭର୍ରେ ୮୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଦୀପକ ହୁଡ଼ା ସର୍ବାଧିକ ୨୭ ରନ୍ କରିଥିଲେ ।
ଟିମ୍ ପ୍ରଥମରୁହିଁ ସଙ୍କଟର ସମ୍ମୁଖୀନ ହୋଇଥିଲା । ୨୪ ରନ୍ ମଧ୍ୟରେ ଦୁଇ ଓପ୍ନର୍ ପାଭିଲିଅନ୍ ଫେରିଥିଲେ । କୁଇଣ୍ଟନ ଡି କକ୍ (୧୧) ଯଶ ଦୟାଲ ଏବଂ ଅଧିନାୟକ ଲୋକେଶ ରାହୁଲ (୮) ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ସଙ୍କଟ ସେଇଠି ଅଟକି ନ ଥିଲା । କରନ ଶର୍ମା (୪) ଯଶଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । କୃଣାଲ୍ ପାଣ୍ଡ୍ୟା (୫) ମଧ୍ୟ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଆୟୁଷ ବଦୋନୀ ୮, ମାର୍କସ ଷ୍ଟୋଇନିସ୍ ୨, ଜାସନ୍ ହୋଲ୍ଡର ୧, ମୋହସୀନ ଖାଁ ୧ ଓ ଅଭେଶ ଖାଁ ୧୨ ରନ୍ କରିଥିଲେ । ବିପକ୍ଷ ବୋଲର୍ ରଶିଦ୍ ଖାଁ ୨୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଯଶ ଦୟାଲ୍ ଓ ଆର୍. ସାଇ କିଶୋର ୨ଟି ଲେଖାଏଁ ଓ ମହମ୍ମଦ ଶାମୀ ଗୋଟିଏ ୱିକେଟ୍ ନେଇଥିଲେ ।
ଏଥି ପୂର୍ବରୁ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶୁଭମନ ଗିଲ୍ ଓ ରିଦ୍ଧିମାନ ସାହାଙ୍କ ଓପନିଂ ଯୋଡ଼ି ସଅଳ ଭାଙ୍ଗିଥିଲା । ମ୍ୟାଚ୍ର ତୃତୀୟ ଓଭର୍ରେ ସାହା (୫)ଙ୍କୁ ଆଉଟ୍ କରିଥିଲେ ମୋହସିନ ଖାଁ । ପରବର୍ତ୍ତୀ ଦୁଇ ବ୍ୟାଟର୍ – ମାଥୁ୍ୟ ୱେଡ୍ (୧୦) ଓ ଅଧିନାୟକା ହାର୍ଦ୍ଦିକ ପାଣ୍ଡ୍ୟା (୧୧)ଙ୍କୁ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ କରାଇ ଅଭେଶ ଖାଁ ପ୍ରତିପକ୍ଷର ସଙ୍କଟ ଆହୁରି ବଢ଼ାଇ ଦେଇଥିଲେ ।
୫୧ ରନ୍ରେ ୩ ୱିକେଟ୍ ହରାଇଥିଲା ଟିମ୍ । ଦୃଢ଼ତାର ସହ ଖେଳୁଥିବା ଅନ୍ୟତମ ଓପନର୍ ଗିଲ୍ ଏହାପରେ ଡେଭିଡ୍ ମିଲର୍ଙ୍କ ସହ ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୫୨ ରନ୍ର ଭାଗୀଦାରୀ ହୋଇଥିଲା । ମିଲର୍ ବ୍ୟକ୍ତିଗତ ୨୬ ରନ୍ରେ ଜାସନ୍ ହୋଲ୍ଡର୍ଙ୍କ ଶିକାର ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ରାହୁଲ ତେୱାଟିଆ ।
ଇତ୍ୟବସରେ ଗିଲ୍ ୪୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ତାଙ୍କର ସିଜନ୍ର ଚତୁର୍ଥ ଓ ଆଇପିଏଲ୍ର ୧୪ତମ ଅର୍ଦ୍ଧଶତକ । ଗିଲ୍ ଓ ତେୱାଟିଆ ଇନିଂସ୍କୁ ଆଗେଇ ନେଇଥିଲେ । ତେବେ ରନ୍ରେଟ୍ ସମସ୍ୟା ବଳବତ୍ତର ରହିଥିଲା ।
ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଗିଲ୍ ୪୯ ବଲ୍ରୁ ୭ ଚୌକା ସହାୟତାରେ ୬୩ ଓ ତେୱାଟିଆ ୨୨ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଅଭେଶ ୨୬ ରନ୍ ଦେଇ ୨ଟି ଏବଂ ମୋହସିନ ଓ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।