ଅସାନି ଆନ୍ଧ୍ରମୁହାଁ

ବଦଳିଲା ବାତ୍ୟା ଗତିପଥ
ଭୁବନେଶ୍ୱର,୧ଠା୫(ବୁ୍ୟରୋ): ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅସାନି’ର ଗତିପଥ ବଦଳିଛି । ଅସାନି ଗତିରେ ତୀବ୍ରତା ବଢ଼ିବାରୁ ସାମାନ୍ୟ ତଳକୁ ଖସି ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇଛି । ମଙ୍ଗଳବାର ବିଳମ୍ବିତ ରାତି କିମ୍ବା ବୁଧବାର ସକାଳୁ ଏହା ଦୁର୍ବଳ ହୋଇ ବାତ୍ୟା ଅବସ୍ଥାରେ ଆନ୍ଧ୍ରର କାକିନାଡ଼ା-ବିଶାଖାପଟଣା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ଆନ୍ଧ୍ର ଉପକୂଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଅସାନି ସ୍ଥଳଭାଗ ଛୁଇଁପାରେ । କାକିନାଡ଼ା-ବିଶାଖାପାଟଣା ମଝିରେ ଉପକୂଳ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ଅସାନି । ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ । ବର୍ତ୍ତମାନ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନପାରେ । ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇସାରିଥିବ ।
ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାତ୍ୟା ଅସାନି ସମୁଦ୍ରରେ ଘଣ୍ଟାକୁ ୨୫ କିମି ବେଗରେ ଗତି କରୁଛି । ଏବେ ଆନ୍ଧ୍ରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ କାକିନାଡ଼ା ଠାରୁ ୨୧୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବିଶାଖାପାଟଣାରୁ ୩୧୦କିମି, ଗୋପାଳପୁରର ଦକ୍ଷିଣ-ପଶ୍ଚିମ ଦିଗରେ ୫୩୦ କିମି, ପୁରୀର ଦକ୍ଷିଣ-ପଶ୍ଚିମ ଦିଗରେ ୬୩୦ କିମି ଦୂରରେ ରହିଛି । ବୁଧବାର ସକାଳ ସୁଦ୍ଧା କାକିନାଡ଼ା-ବିଶାଖାପାଟଣା ମଝିରେ ଊପକୂଳ ପାଖାପାଖି ପହଞ୍ଚିବ । କ୍ରମେ ଏହା ଦିଗ ବଦଳାଇ ପୁଣି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତି କରିବ । ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ଗତି କରିବ ବାତ୍ୟା ଅସାନି । ବୁଧବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାରୁ ବାତ୍ୟାକୁ ଓ ୧୨ରେ ଅବପାତକୁ ଖସିବ ଅସାନି ।
ବାତ୍ୟା ପ୍ରଭାବରେ ବୁଧବାର କୋରାପୁଟ, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଓ ଅଗ୍ନିଶମ ମୁତୟନ ପରିବର୍ତ୍ତନ ହୋଇଛି । ଓଡ୍ରାଫର ୧୨ଟି ଟିମ୍କୁ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ଅଗ୍ନିଶମ ସେବାର ୧୨ଟି ଟିମ୍କୁ ମଧ୍ୟ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମୁତୟନ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି । ବତ୍ୟା ପ୍ରଭାବରେ ବୁଧବାର ଅର୍ଥାତ୍ ୧୧ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କୋରପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାରେ ୭-୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୨ରେ ପୁରୀ, ଜଗତସିଂହପୁର, କଟକ,କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏସ୍ଆର୍ସି କହିଛନ୍ତି, ପ୍ରଶାସନର ତାଗିଦ୍ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ ଅସୁବିଧାରେ ପକାଉଛନ୍ତି । ଏନେଇ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ଜାରି କରି ଏସ୍ଆର୍ସି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରି ଜଣାଇଛନ୍ତି ଯେ ଏଭଳି କ୍ଷେତ୍ରରେ ସତର୍କ ସୂଚନା, ନିଦେ୍ର୍ଦଶକୁ ଅବମାନନା କରାଯାଇଥିବାବେଳେ ଜିଲ୍ଲାପାଳମାନେ ବିପର୍ଯ୍ୟୟ ପରିଚାଳନା ଆକ୍ଟର ୨ଠଠ୫ ନିୟମ ଆଧାରରେ ମତ୍ସ୍ୟଜୀବୀଙ୍କ ଉପରେ କ୍ରିମିନାଲ ଆକ୍ଟ ଲାଗୁ କରିବେ । ସଚେତନତା ପାଇଁ ମଧ୍ୟ ପଦକ୍ଷେପ ନେବେ । ସେହିପରି ଆଇନ ଭାଙ୍ଗୁଥିବା ମତ୍ସ୍ୟଜୀବୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *