ଆମେରିକାକୁ ହରାଇ ଭାରତ କ୍ୱାର୍ଟରରେ

ବ୍ୟାଙ୍କକ୍, ୧୦ା୫ (ଏଜେନ୍ସି): ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଟିମ୍ ମଙ୍ଗଳବାର ଗ୍ରୁପ୍-ଡି ମ୍ୟାଚ୍ରେ ଆମେରିକାକୁ ୪-୧ରେ ହରାଇ ଉବେର କପ୍ ଫାଇନାଲ୍ର କ୍ୱାର୍ଟର୍-ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ପୁରୁଷ ଟିମ୍ ମଧ୍ୟ ନକ୍ଆଉଟ୍ରେ ପ୍ରବେଶ କରିସାରିଛି ।
ଭାରତ ନିଜ ପ୍ରଥମ ମ୍ୟାଚ୍ରେ କାନାଡ଼ାକୁ ୪-୧ରେ ହରାଇ ସକାରାତ୍ମକ ଅଭିଯାନ ଆରମ୍ଭ କରିଥିଲା । ଏହାପରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ନିଜ ଗ୍ରୁପ୍ରେ ଶୀର୍ଷ-୨ ମଧ୍ୟରେ ରହି ନକ୍ଆଉଟ୍ ଲାଗି ଯୋଗ୍ୟତା ଅର୍ଜନ କରିଥିଲା ।
ଯୁଗଳ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ପୁଣି ଥରେ ଅଭିଯାନ ଆରମ୍ଭ କରି ଏକକ ମ୍ୟାଚ୍ରେ ଆମେରିକୀୟ ଜେନ୍ନୀ ଜାଇଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରିଥିଲା । ଏହାପରେ ଯୁଗଳ ମ୍ୟାଚ୍ରେ ତନିଷା କ୍ରାଷ୍ଟୋ ଓ ତ୍ରୀସା ଜୋଲୀ ପ୍ରତିପକ୍ଷ ଯୋଡ଼ି ଫ୍ରାନ୍ସେସ୍କା କର୍ବେଟ୍ ଓ ଆଲିସନ୍ ଲି’ଙ୍କୁ ୨୧-୧୯, ୨୧-୧୦ରେ ହରାଇଥିଲେ । ପରବର୍ତ୍ତୀ ଏକକ ମ୍ୟାଚ୍ରେ ଆକର୍ଷୀ କଶ୍ୟପ ୨୧-୧୮, ୨୧-୧୧ରେ ଏସ୍ଥର ଶି’ଙ୍କୁ ହରାଇ ଭାରତକୁ ୩-୦ରେ ଅପରାଜେୟ ଅଗ୍ରଣୀ କରାଇଥିଲେ ।
ଚତୁର୍ଥ ମ୍ୟାଚ୍ରେ ଯୁବ ଯୁଗଳ ଯୋଡ଼ି ସିମରନ୍ ସିଙ୍ଗୀ ଓ ରିତିକା ଠାକର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଲୌରେନ୍ ଲାମ୍ ଓ କୋଡ଼ି ତାଙ୍ଗ ଲୀ’ଙ୍କଠାରୁ ୧୨-୨୧, ୨୧-୧୭, ୧୩-୨୧ରେ ହାରି ଯାଇଥିଲେ । ଶେଷ ମ୍ୟାଚ୍ରେ ଅଶ୍ମିତା ଚଲିହା ୨୧-୧୮, ୨୧-୧୩ରେ ନତାଲୀ ଚି’ଙ୍କୁ ହରାଇ ଔପଚାରିକତା ପୂର୍ଣ୍ଣ କରିଥିଲେ ।
ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇ ଥର କାସ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଟିମ୍ ବୁଧବାର ନିଜ ଶେଷ ଗ୍ରୁପ୍ ମ୍ୟାଚ୍ରେ କୋରିଆକୁ ଭେଟିବ ।
ଭାରତୀୟ ପୁରୁଷ ଟିମ୍ ଜର୍ମାନୀ ଓ କାନାଡ଼ା ବିପକ୍ଷରେ କ୍ରମାଗତ ବିଜୟ ସହ କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଛି । ସୋମବାର ଟିମ୍ କାନାଡ଼ାକୁ ୫-୦ରେ ମାତ୍ ଦେଇଥିଲା । ବିଶ୍ୱ ଚାମ୍ପିଅନ୍ସିପ୍ ରୌପ୍ୟ ପଦକଧାରୀ କିଦାମ୍ବୀ ଶ୍ରୀକାନ୍ତ ୫୨ ମିନିଟ୍ ଧରି ଚାଲିଥିବା ପ୍ରଥମ ମ୍ୟାଚ୍ରେ ବ୍ରାଏନ୍ ୟାଙ୍ଗ୍ଙ୍କୁ ୨୦-୨୨, ୨୧-୧୧, ୨୧-୧୫ରେ ପରାସ୍ତ କରିଥିଲେ । ଯୁଗଳ ମ୍ୟାଚ୍ରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ମାତ୍ର ୨୯ ମିନିଟ୍ରେ ଜାସନ୍ ଆନ୍ଥୋନୀ ହୋ-ଶୁଏ ଓ କେଭିନ୍ ଲୀ’ଙ୍କୁ ହରାଇଥିବା ବେଳେ ବିଶ୍ୱର ୨୩ତମ ଖେଳାଳି ଏଚ୍ଏସ୍ ପ୍ରଣୟ ପ୍ରତିପକ୍ଷ ବି.ଆର୍. ସଂକୀର୍ଥଙ୍କୁ ୨୧-୧୫, ୨୧-୧୨ରେ ହରାଇ ଭାରତକୁ ୩-୦ରେ ଜିତାଇଥିଲେ ।
ଔପଚାରିକ ହୋଇ ରହିଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ବି ଭାରତୀୟ ଖେଳାଳି ବାଜିମାତ୍ କରିଥିଲେ । କ୍ରିଷ୍ଣ ପ୍ରସାଦ ଗରଗା ଓ ବିଷ୍ଣୁ ବର୍ଦ୍ଧନ ଗୌଡ଼ଙ୍କ ଯୁଗଳ ଯୋଡ଼ି ଓ ପ୍ରିୟଂଶୁ ରାଜୱତ ନିଜ ନିଜ ମ୍ୟାଚ୍ ଜିତିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *