ପୁତିନଙ୍କ ବୋଟ୍ ଡ୍ରୋନ୍ ଆକ୍ରମଣରେ ଧ୍ୱସ୍ତ
କିବ୍, ୧୦ା୫: ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ଙ୍କ ବ୍ୟକ୍ତିଗତ ପ୍ୟାରେଡ୍ ବୋଟ୍କୁ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ଉଡ଼ାଇ ଦେଇଛି । ଏହି ବୋଟ୍ରେ ବସି ସେ ରୁଷୀୟ ନୌସେନାର ଯୁଦ୍ଧ ଜାହାଜ ଗୁଡ଼ିକୁ ଅନୁଧ୍ୟାନ କରିଥାନ୍ତି ।
ମିଳିଥିବା ଭିଡିଓ ଫୁଟେଜ୍ରେ ଦେଖାଦେଇଛି ଯେ, ସ୍ନେକ୍ ଆଇଲାଣ୍ଡ୍ ନିକଟରେ କୃଷ୍ଣ ସାଗରରେ ପୁତିନଙ୍କ ରାପ୍ଟର୍ ଶ୍ରେଣୀର ପାଟ୍ରୋଲ୍ ବୋଟ୍ ଗତି କରୁଥିବାବେଳେ ୟୁକ୍ରେନୀୟ ଡ୍ରୋନ୍ରୁ ହୋଇଥିଲା ବୋମା ବର୍ଷଣ । ତାହା ଥିଲା ଲେଜର୍ ଗାଇଡେଡ୍ ବୋମା । ଡ୍ରୋନ୍ ଆକ୍ରମଣ ସମୟରେ ଏହି ବୋଟ୍ ଯୋଗେ ସେଠିକାର ସେନା ଶିବିର ପାଇଁ ବିଭିନ୍ନ ସାମଗ୍ରୀ ନିଆଯାଉଥିଲା । ବିଧ୍ୱସ୍ତ ବୋଟ୍ର ନମ୍ବର ୦୦୧ ବୋଲି ୟୁକ୍ରେନ୍ ନାଓ ଟେଲିଗ୍ରାମ୍ ଚ୍ୟାନେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼େଶା ବନ୍ଦର ଠାରୁ ୮୦ ମାଇଲ୍ ଦୂରବର୍ତ୍ତୀ ସ୍ନେକ୍ ଆଇଲାଣ୍ଡ୍ରେ ବୋଟ୍ଟି ଥିବା ସମୟରେ ବେରେକ୍ଟର ଟିବି୨ ଡ୍ରୋନ୍ ଯୋଗେ ଲେଜର୍ ନିୟନ୍ତ୍ରିତ ବୋମା ନିକ୍ଷେପ କରାଯାଇଥିଲା । ୟୁକ୍ରେନ୍ ଯୁଦ୍ଧର ପ୍ରାରମ୍ଭିକ କାଳରେ ରୁଷୀୟ ସେନା ସ୍ନେକ୍ ଆଇଲାଣ୍ଡ୍ରେ ମୁତୟନ ଥିବା ସମସ୍ତ ୟୁକ୍ରେନୀ ସୈନିକଙ୍କୁ ମସ୍କବା ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ନିକ୍ଷେପ କରି ମାରିଦେଇଥିଲେ । ପରେ ୟୁକ୍ରେନ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ମସ୍କବା ବୁଡ଼ିଯାଇଥିଲା ।