୧ଠ ରାଜ୍ୟ ସହ ଆଲୋଚନା କରିବ କେନ୍ଦ୍ର

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗ
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୧ଠ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ କିଛି ଦିନର ମହଲତ (ଅତିରିକ୍ତ ସମୟ) ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଙ୍କ ସହ ଆଲୋଚନା କରିବା ଏବଂ ଚୂଡାନ୍ତ ନିଷ୍ପତ୍ତିରେ ଉପନୀତ ହେବା ଉଦେ୍ଦଶ୍ୟରେ ସୁପ୍ରିମକୋର୍ଟ ଏହି ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ଆସନ୍ତା ଅଗଷ୍ଟ ୩ଠରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାରିଖ ନିର୍ଘଣ୍ଟ କରିଛନ୍ତି ।
ସୋମବାର ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବା କ୍ଷଣି କେନ୍ଦ୍ର ସରକାର ଏକ ନୂତନ ସତ୍ୟପାଠ ଦାଖଲ କରିଥିଲେ । ଏଥିରେ ଏହି ୧ଠ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଏବଂ ଅନ୍ୟ ଦଳଙ୍କ ସହ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବା ସମ୍ପର୍କରେ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଥିବା କେନ୍ଦ୍ର ସରକାର ଦର୍ଶାଇଥିଲେ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ, ସମଗ୍ର ଦେଶ ତଥା ଦେଶବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରହିଛି, ବିସ୍ତୃତ ଆଲୋଚନା ବିନା ନିଆଯାଇଥିବା ନିଷ୍ପତ୍ତି ସମଗ୍ର ଦେଶ ପାଇଁ ଅପ୍ରତ୍ୟାଶିତ ଜଟିଳତାର କାରଣ ହୋଇପାରେ ବୋଲି କେନ୍ଦ୍ର ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲେ । ତେବେ ଜଷ୍ଟିସ୍ ଏସ୍କେ କୌଲ ତଥା ଜଷ୍ଟିସ୍ ଏମଏମ ସୁନ୍ଦରେଶଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରକୁ ଆଉ କିଛି ଦିନର ମହଲତ୍ ପ୍ରଦାନ କରିଛନ୍ତି ।
୨ଠ୨ଠରେ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏକ ପିଟିସନ୍ ଦାୟର କରିଥିଲେ । ନିଜ ପିଟିସନ୍ରେ ଅଶ୍ୱିନୀ ଦର୍ଶାଇଥିଲେ ଯେ, ୨ଠ୧୧ ଜନଗଣନା ଅନୁସାରେ ଲାକ୍ଷାଦ୍ୱୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ପଞ୍ଜାବରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି । ଏଭଳି ପରିସ୍ଥିତିରେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ହିନ୍ଦୁମାନଙ୍କୁ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଳ୍ପସଂଖ୍ୟକ ମାନ୍ୟତା ଦିଆଯିବା ଉଚିତ୍ । ପ୍ରକାଶ, ଏହା ପୂର୍ବରୁ ମଧ୍ୟ ଅଶ୍ୱିନୀ, ଏହି ମାମଲାରେ ୨ଠ୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୌଣସି କାରଣ ବଶତଃ ଏହା ଉପରେ ଶୁଣାଣି ହୋଇପାରିନଥିଲା ଏବଂ ପୂର୍ବତନ ସିଜେଆଇ ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ସମୟରେ ଏହାକୁ କୌଣସି କାରଣ ଦର୍ଶାଇବା ବିନା ହିଁ ନାକଚ କରିଦିଆଯାଇଥିଲା । ତେବେ ୨ଠ୨ଠରେ ଅଶ୍ୱିନୀ ଏହି ମାମଲାରେ ସୁପ୍ରିମକୋର୍ଟରେ ସାନି ପିଟିସନ୍ ଦାଖଲ କରିଥିଲେ । ଏହି ପିଟିସନ୍ ଉପରେ ଶୁଣାଣି ଆରମ୍ଭ ହେବା ପରେ କେନ୍ଦ୍ର ପକ୍ଷରୁ ଗତ ମାର୍ଚ୍ଚ ୨୫ରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା । ଏଥିରେ ଯେକୌଣସି ସମୁଦାୟଙ୍କୁ ସଂଖ୍ୟାଲଘୁ ଘୋଷିତ କରିବାର ପୂର୍ଣ୍ଣ ଅଧିକାର ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡିକଙ୍କ ନିଜସ୍ୱ ବୋଲି କେନ୍ଦ୍ର ସରକାର ଦର୍ଶାଇଥିଲେ । ମାତ୍ର କେନ୍ଦ୍ରର ଏପ୍ରକାର ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ବିରକ୍ତ ପ୍ରକାଶ କରିଥିଲେ । ସୁତରାଂ ଆଜିର ଶୁଣାଣି କାଳରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ନୂତନ ସତ୍ୟପାଠ ଦାଖଲ କରିଛନ୍ତି ।
ଏଥିରେ ନ୍ୟାଶନାଲ କମିଶନ୍ ଫର ମାଇନରିଟି ବା ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନ୍ସିଏମ୍) ଆକ୍ଟ, ୧୯୯୨ ଏବଂ ନ୍ୟାଶନାଲ କମିଶନ୍ ଫର୍ ମାଇନରିଟି ଏଜୁକେସନାଲ୍ ଇନଷ୍ଟିଚୁ୍ୟସନ୍ ଭଳି ଦୁଇଟି ଅଧିନିୟମକୁ ସୁରକ୍ଷା ପ୍ରଦାନ କରାଯାଇଥିବା କେନ୍ଦ୍ର ସରକାର ଦର୍ଶାଇଛନ୍ତି । ଅନ୍ୟପକ୍ଷେ ଏହି ମାମଲା ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଙ୍କ ଆଲୋଚନା କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଅତିରିକ୍ତ ସମୟ ଲୋଡିଥିଲେ, ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ପ୍ରକାଶ, ପୂର୍ବରୁ ମଧ୍ୟ ଏହି ପିଟିଶନ୍ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଥିଲେ । ପିଟିଶନ୍ରେ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଚିହ୍ନଟ ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେବାକୁ ଅଶ୍ୱିନୀ ଉପାଧ୍ୟାୟ ଅନୁରୋଧ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *