ଏଏସ୍ଆଇ ରିପୋର୍ଟ ନେଇ ମୁହାଁମୁହିଁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରାଜନୀତି ଜୋର୍
ଭୁବନେଶ୍ୱର,୧ଠା୫(ବୁ୍ୟରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସ୍ଆଇ ରିପୋର୍ଟ ଦେବା ପରେ ପୁଣିଥରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଓ ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।
ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସମ୍ବିତ୍ ପାତ୍ର କହିଛନ୍ତି, ଓଡିଶାର ଐତିହ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ଭବିଷ୍ୟତ ପିଢି କେବେହେଲେ କ୍ଷମା କରିବେ ନାହିଁ । ନିର୍ମାଣଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ତରଫରୁ ଦାଖଲ ହୋଇଥିବା ରିପୋର୍ଟ ଦେଖିବା ପରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଧୈର୍ଯ୍ୟ ବିଚୁ୍ୟତି ହୋଇଛି ଏବଂ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ କଳାଦିବସ । ପ୍ରକଳ୍ପ ଡିପିଆରକୁ ଚଞ୍ଚକତା କରାଯିବା ସହିତ ବାରମ୍ବାର କାହିଁକି ଓ କାହା ସ୍ୱାର୍ଥରେ ପରିବର୍ତ୍ତନ କରାଯାଉଥିଲା? ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚଲାଉଥିବା ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରି ଅବିଳମ୍ବେ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି । ବିଜେପି ବିକାଶ କାର୍ଯ୍ୟକୁ କେବେହେଲେ ବିରୋଧ କରିନାହିଁ କି କରିବ ନାହିଁ । ପୁରୀ ସାଂସଦ ପିନାକୀ ମିଶ୍ର ସଂସଦରେ ମାତ୍ର ୪ଟି ଶୌଚାଳୟର ନିର୍ମାଣ ହେଉଥିବାର ମିଛ କହି ଅକ୍ଷମଣୀୟ ଅପରାଧ କରିଛନ୍ତି । ପବିତ୍ର ସଂସଦରେ ମିଛ କହିଥିବା ସାଂସଦ ସମସ୍ତଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।
ସାଂସଦ ଶ୍ରୀ ମିଶ୍ର ଏହାର ଜବାବ୍ରେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି? ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନ୍ର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦୁ୍ୟତିକ ନିର୍ମାଣ ଆମ୍ସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି । ଏହାଛଡ଼ା ଏନ୍ଏମ୍ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍ଓସି ଦେଇଛନ୍ତି ବୋଲି ଆଡ୍ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଏଏସ୍ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍ଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି । ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସ୍ପର୍ଶକାତର ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍ଏମ୍ଏର ଏନ୍ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି । ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସ୍ଆଇ ସତ୍ୟପାଠରେ ଯେଉଁସବୁ ବିଷୟ ଉଲ୍ଲେଖ କରିଛି, ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି ଏବଂ ଏହି ନିର୍ମାଣ କାର୍ଯ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍ଆଇକୁ ନିଦେ୍ର୍ଦଶ ଦେଇଛନ୍ତି । ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିଦେ୍ର୍ଦଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍ସାହାସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ଶ୍ରୀ ମିଶ୍ର ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ଏବଂ ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍ର ଜ୍ଞାନ ହାସଲ କରନ୍ତୁ ବୋଲି କହିଛନ୍ତି ।
ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଅହଂକାର ଓ ଏଏସ୍ଆଇର ଅବହେଳାର ଲଢ଼େଇ ମଧ୍ୟରେ ଶ୍ରୀମନ୍ଦିରର କ୍ଷତି ହେଉଛି । ସରକାର ବେଆଇନ କାମ କରିବା ଯେତିକି ଭୁଲ, ଏଏସ୍ଆଇ ତଦାରଖ ନ କରିବା ସେତିକି ଭୁଲ । ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଶ୍ରୀଜଗନ୍ନାଥ କ୍ଷେତ୍ର ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପାରିପାଶ୍ୱର୍ିକ ଉନ୍ନୟନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଭଳି ସ୍ଥାନଗୁଡ଼ିକ ମହତ୍ୱ ବୃଦ୍ଧି ସହ ଲୋକଙ୍କ ଜୀବିକା କିଭଳି ସମୃଦ୍ଧ ହୋଇପାରିବ, ସେଥିପାଇଁ ଉଦ୍ୟମ କରାଯାଉଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ନିୟମକୁ ଉଲ୍ଲଙ୍ଘନ କରି କାମ କରିବା ଦୁର୍ଭାଗ୍ୟଜନକ । ବିଧାନସଭାରେ ଏ କଥା ଉଠିବା ପରେ ଗୃହ କମିଟି ଗଠନ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି ବୈଠକ ବସିନାହିଁ । ଅନ୍ୟପକ୍ଷରେ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *