ଓୟୁଟିଆର୍ର ହେବ ନବକଳେବର
ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର
ଭୁବନେଶ୍ୱର (ବୁ୍ୟରୋ): ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲାଜି ବା ସିଇଟି ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । ଆଇଆଇଏମ୍, ଆଇଆଇଟି ଓ ଏନ୍ଆଇଟି ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଓୟୁଟିଆରର ବିକାଶ ସଂପର୍କିତ ମାଷ୍ଟରପ୍ଲାନ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ବର୍ତ୍ତମାନ ଓୟୁଟିଆରରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓୟୁଟିଆରର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ୱବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ୱ ସହ ନୁ୍ୟଏଜ୍ ଟେକ୍ନୋଲୋଜି ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ ଉକ୍ରର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ । ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ୱବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତିବିଦ୍ୟା ଶିକ୍ଷାର୍ଥୀଙ୍କ ମଧ୍ୟରେ ଷ୍ଟାର୍ଟଅପ୍ କଲଚରକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ ଇନ୍କୁ୍ୟବେସନ୍ ସେଣ୍ଟରର ମଧ୍ୟ ବିକାଶ କରାଯିବ । ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ ପାଟେଣ୍ଟ ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ, ଓୟୁଟିଆର (ସିଇଟି) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓୟୁଟିଆର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ । ଶ୍ରୀ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବୈଠକରେ ଓୟୁଟିଆରର ଓଏସ୍ଡି ଡଃ ରମେଶ ପାତ୍ର, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।