ଅସାନି ପ୍ରଭାବରେ ସମୁଦ୍ର ଅଶାନ୍ତ
ପୁରୀ (ବୁ୍ୟରୋ): ଅସାନି ପ୍ରଭାବରେ ଅଶାନ୍ତ ହୋଇ ପଡ଼ିଛି ସମୁଦ୍ର । ମଙ୍ଗଳବାର ପୁରୀ ସହରରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଦିନତମାମ ପାଗ ଶୁଖିଲା ରହିଥିଲା । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଯିବା ଲାଗି ବାରଣ କରାଯାଇଛି । ସମୁଦ୍ରରେ ପ୍ରତି ୫ ସେକେଣ୍ଡରେ ଦେଢ଼ମିଟର ଅର୍ଥାତ୍ ୯ରୁ ୧୦ ଫୁଟ୍ ଉଚ୍ଚତାରେ ଜୁଆର ଆସୁଛି । ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦିଆଯାଇଛି । ତତ୍ସହିତ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ରଥଖଳାରେ ଘେରା ଯାଇଥିବା ଧଳାଚାଦର ଓ ଛାଞ୍ଚଙ୍କୁ ଖୋଲି ଦିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଅନ୍ୟପଟରେ ସମୁଦ୍ର ଅଶାନ୍ତ ଥିବାରୁ ପୁଲିସ ପକ୍ଷରୁ ବେଳାଭୂମିକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ନ ଆସିବାକୁ ବାରଣ କରାଯାଇଥିଲା । ତତ୍ସହିତ ସମୁଦ୍ରକୂଳରେ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ଗାର୍ଡ ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଫଳରେ ବେଳାଭୂମି ଖାଁ ଖାଁ ହୋଇପଡ଼ିଛି । ପେଣ୍ଠକଟାରେ ରହୁଥିବା ମତ୍ସ୍ୟଜୀବୀ ଡଙ୍ଗାକୁ ଉପରକୁ ଆଣି ତାକୁ ସୁରକ୍ଷିତ ଭାବେ ବାନ୍ଧି ରଖିଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସୁରକ୍ଷା ଯୋଗାଇବା ସହ ବେଳାଭୂମି ଓ ବାହାରେ ନ ବୁଲିବାକୁ ପୁଲିସ ପକ୍ଷରୁ ସହରରେ ପାଟ୍ରୋଲିଂ କରାଯାଇ ସଚେତନତା କରାଯାଉଛି ।
ସେହିପରି ବାତ୍ୟା ମୁକାବିଲା ପ୍ରସ୍ତୁତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁରୀ ପୌରସଂସ୍ଥା ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ରହିଥିବା ବେଳେ ଗୋପ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ଲାଗି ଭୂ-ଅର୍ଜନ ଅଧିକାରୀ କୈଳାସ ଚନ୍ଦ୍ର ନାୟକ । ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍ ଲାଗି ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର । ନିମାପଡ଼ା ଲାଗି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦିଲ୍ଲୀପ କୁମାର ମହାପାତ୍ର, ବ୍ରହ୍ମଗିରି ବ୍ଲକ୍ ଲାଗି ଉପଜିଲ୍ଲାପାଳ ଭବତାରଣ ସାହୁ, କୃଷ୍ଣପ୍ରସାଦ ଲାଗି ପିକେଡିଏ ସଚିବ ଲଲାଟେନ୍ଦୁ ସାହୁ, ପୁରୀ ସଦର ଲାଗି ଡେପୁଟି କଲେକ୍ଟର ସୁମନ୍ତ କର ଓ କଣାସ ଲାଗି ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।