ବାଲି ଚୋରା ଚାଲାଣର ଭୂ-ସ୍ୱର୍ଗ ମୋରଡ଼ା ତହସିଲ୍
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ତହସିଲ୍ ଅଞ୍ଚଳ ଜମ୍ଭିରା ନଦୀର ଅନେକ ଘାଟକୁ ରାଜସ୍ୱ ବିଭାଗ ପକ୍ଷରୁ ନିଲାମ ଦିଆଯାଇଛି । ଏଥିପାଇଁ ବିଧିବଧ ନିୟମ ସହ ପଟ୍ଟାଦାରଙ୍କୁ ବାଲି ଉତ୍ତୋଳନ ପାଇଁ ନିଦେ୍ର୍ଦଶ ମଧ୍ୟ ରହିଛି । ହେଲେ ଲିଜ୍ଧାରୀ ଏହି ନିୟମକୁ ବେଖାତିର କରି ବାଲିଘାଟରୁ ବାଲି ହରିଲୁଟ୍ କରୁଥିବା ଦେଖିବାକୁ ମିଳୁଛି । ସବୁ ଜାଣିଶୁଣି ତହସିଲ୍ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଫଳରେ ରାତି ଦିନ ମେସିନ୍ ଲଗାଇ ଚିହ୍ନଟ ପରିସୀମା ବାହାରେ ଟ୍ରକ, ଟ୍ରାକ୍ଟର, ହାଇୱା ସାହାଯ୍ୟରେ ଶହଶହ ଟ୍ରିପ୍ ବାଲି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ମେସିନ୍ ଦ୍ୱାରା ଅଧିକ ଖନନ ହେବା ଫଳରେ ନଦୀ ଶଯ୍ୟାରେ କୃତ୍ରିମ ହ୍ରଦ ସୃଷ୍ଟି ହେବାସହ ଏଥିରେ ବୁଡ଼ି ଅନେକ ଧନଜୀବନ କ୍ଷତି ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ପ୍ରତ୍ୟେକ ଦିନ ଭାରି ଜାନ ଚାଲୁଥିବାରୁ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହେବାକୁ ବସିଲାଣି ।
ନିକଟରେ ବଡ଼ଫେରା ଘାଟରୁ ବାଲି ଉତ୍ତୋଳନ କରି ବଡ଼ ବଡ଼ ହାଇୱା ସାହାଯ୍ୟରେ ଚାଲାଣ ହେଉଥିବା ସମୟରେ ଏକ ବାଲି ବୋଝେଇ ଗାଡ଼ିକୁ ଅଟକାଇଥିଲେ ଗ୍ରାମବାସୀ । ରାତିରେ କାହିଁକି ବାଲି ପରିବହନ କରାଯାଉଛି ପ୍ରଶ୍ନ କରିବାରୁ କିଛି ଗୁଣ୍ଡା ଶ୍ରେଣୀର ଯୁବକ ଗ୍ରାମବାସୀଙ୍କୁ ଧମକ ଦେଇଥିଲେ । ତେବେ ଏହି ସବୁ ବ୍ୟତିକ୍ରମକୁ ନେଇ ମୋରଡ଼ା ତହସିଲଦାର ଅନନ୍ତ ହାଁସଦାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ବଡ଼ ଗାଡ଼ିରେ ବାଲି ପରିବହନ କରିହେବ ଓ ବାଲି ଡିପୁ କରିହେବ ବୋଲି ପ୍ରକାଶ କରିଥିଲେ । ବାଲି ମାଫିଆଙ୍କ ଲୁଣ୍ଠନ କାର୍ଯ୍ୟରେ ଅତିଷ୍ଠ ହୋଇ ଅତିଶୀଘ୍ର ଜାତୀୟ ସବୁଜ ପ୍ରାଧିକରଣ ବା ନାସନାଲ୍ ଗ୍ରୀନ ଟ୍ରିବୁ୍ୟନାଲ (ଏନ୍ଜିଟି)ରେ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡୁଛି ଲିଜ୍ଧାରୀ ଓ ମୋରଡ଼ା ତହସିଲଦାରଙ୍କ ମଧୁଚନ୍ଦ୍ରିକା ଓ ସଲାସୁତୁରାରେ ବେଆଇନ କାମ କରାଯାଇଛି । ଅପରପକ୍ଷରେ ନିଲାମ ହୋଇଥିବା ବଡ଼ଫେରା ଘାଟକୁ ରୟାଲିଟ୍ ପେପର ଆସିଥିବା ବେଳେ ବାଲି ମାଫିଆ ନିଲାମ ଘାଟରୁ ବାଲି ନ ନେଇ ବେଆଇନ ଭାବେ କୃତ୍ରିମ ଘାଟ ନିର୍ମାଣ କରି ବାଲି ଚୋରି କରୁଛନ୍ତି । ଏପରିକି ଗୋଟିଏ ରୟାଲିଟିରେ ଶହ ଶହ ଟ୍ରିପ୍ ବାଲି ଉଠୁଥିବା ଜଣାପଡ଼ିଛି । ମାତ୍ର ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ସରକାରୀ କିମ୍ବା ବେସରକାରୀ ନିର୍ମାଣ ପାଇଁ ପରିବହନ କରୁଥିବା ଟ୍ରାକ୍ଟରକୁ ଲୋକ ଦେଖାଣିଆ ଚଢ଼ଉ କରି ଜରିମାନା ଆଦାୟ କରୁଛନ୍ତି । ଏହି ଲଘୁଜାତ ଖଣିଜ ଦ୍ରବ୍ୟରୁ ପ୍ରକୃତ ରାଜସ୍ୱ ଆଦାୟ କରାଯାଉ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।