ଦୁର୍ବଳ ହେବ ‘ଅସାନି’

ଭୁବନେଶ୍ୱର,୯ା୫(ବୁ୍ୟରୋ): ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅସାନି’ର ପ୍ରଭାବ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି । ସୋମବାର ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ମେଘଖଣ୍ଡ ଏକତ୍ରିତ ହେବାସହ ସାମାନ୍ୟ ବର୍ଷା ମଧ୍ୟ ହୋଇଛି । ଅନ୍ୟପଟେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ତେବେ ଏହି ଭୀଷଣ ବାତ୍ୟା ପ୍ରଭାବରେ ତିନିଦିନ ଅର୍ଥାତ୍ ୧ଠ, ୧୧ ଏବଂ ୧୨ ତାରିଖରେ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଭୀଷଣ ବାତ୍ୟା ଅସାନି ପ୍ରଭାବରେ ରାଜ୍ୟରେ ସୋମବାର ବହୁ ସ୍ଥାନରେ ବର୍ଷା ହୋଇଛି । ବାତ୍ୟା ଅସାନି ଏବେ ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପୁରୀ ଠାରୁ ପ୍ରାୟ ୧୨୭କିମି ଦୂରରେ ଗତି ବଦଳାଇବ । ଗତିପଥ ବଦଳାଇବା ପରେ ଏହା ଦୁର୍ବଳ ହୋଇ ବାତ୍ୟା ପରେ ଅବପାତ ରୂପ ନେବ । ଏହି ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ଅସାନି ପଶ୍ଚିମ କେନ୍ଦ୍ରୀୟ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି । ସୋମବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ଦୀପପୁଞ୍ଜ ଠାରୁ ୮୬୦କିମି, ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣା ଠାରୁ ୪୧୦କିମି ଏବଂ ପୁରୀର ଦକ୍ଷିଣ ଦିଗରେ ୫୮୦କିମି ଦୂରରେ ରହିଛି । ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଗତିପଥ ବଦଳାଇ କ୍ରମଶ ଦୁର୍ବଳ ହେବ । ଆସନ୍ତା ୧୨ ତାରିଖରେ ବାତ୍ୟା “ଅସାନି’ ପାରାଦୀପଠୁ ପାଖାପାଖି ୧୧୦ କିମି ଦୂରରେ ଗତି କରିପାରେ । ଏହି ସମୟରେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ସାରିଥିବ ।
୧୦ ତାରିଖରେ ଅସାନି ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାରୂପ ପରେ ଅବପାତ ପରିଣତ ହେବ । ସମୁଦ୍ର ଭିତରେ ଅସାନି ଦୁର୍ବଳ ହୋଇ ବିଲୀନ ହୋଇଯିବ ।
ତେବେ ଏହା ପ୍ରଭାବରେ ମଙ୍ଗଳବାର ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କଟକ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ବାତ୍ୟାର ବିଶେଷ ପ୍ରକୋପ ନଥିଲେ ବି ସରକାର ସଜାଗ ଅଛନ୍ତି । ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଥିବାରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି ବୋଲି ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *