୫ଠ% ବୁଥ୍ରେ ହେବ ୱେବ୍କାଷ୍ଟିଂ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୯ା୫(ବୁ୍ୟରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଥିଲେ । ଜାନୁଆରୀ ୨୦୨୨ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୧୪୭୪୫ । ତନ୍ମଧ୍ୟରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ଏବଂ ୧୭ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସମୁଦାୟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୩୫୦୯ ଜଣ, ତନ୍ମଧ୍ୟରୁ ୧୯୪୩ ଜଣ ପୁରୁଷ ଓ ୧୫୭୬ ଜଣ ଦିବ୍ୟାଙ୍ଗ ଭୋଟର । ଏତଦ୍ବ୍ୟତୀତ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଭୋଟରଙ୍କ ସଂଖ୍ୟା ୩୧୨୭ ଓ ତନ୍ମଧ୍ୟରୁ ୧୪୩୨ ଜଣ ପୁରୁଷ ଓ ୧୬୯୫ ଜଣ ମହିଳା ଭୋଟର ଅଛନ୍ତି । ନିର୍ବାଚନ ମଣ୍ଡଳୀରେ ସମସ୍ତ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି ବୋଲି ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି ।
ବ୍ରଜରାଜନଗରରେ ସମୁଦାୟ ବୁଥ୍ ସଂଖ୍ୟା ୨୫୭ ଥିବାବେଳେ କୋଭିଡ୍-୧୯ ଦୃଷ୍ଟିକୋଣରୁ ଅତିରିକ୍ତ ୨୨ଟି ବୁଥ୍ ସେହି ସ୍ଥାନରେ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଦେଇଛନ୍ତି । ସର୍ବମୋଟ ବୁଥ୍ ସଂଖ୍ୟା ହେଉଛି ୨୭୯ । ଭୋଟରଙ୍କ ନିମନ୍ତେ ମୁଖ୍ୟ ପରିଚୟ ପତ୍ର ଭାବେ ଭୋଟର ଫଟୋ ପରିଚୟ ପତ୍ରକୁ ଗ୍ରହଣ କରାଯାଇଥିବାବେଳେ ମତଦାନବେଳେ ଭୋଟରମାନେ ଆଧାର କାର୍ଡ, ଏମ୍ଜିଏମ୍ଆର୍ଏ ଜବ୍ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ର ଫଟୋ ଥିବା ପାସ୍ବୁକ୍, ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ପାସ୍ପୋର୍ଟ, ଫଟୋ ଥିବା ପେନ୍ସନ୍ ବୁକ୍, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କର୍ମଚାରୀଙ୍କ ପରିଚୟ ପତ୍ର, ସାଂସଦ, ବିଧାୟକଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ଏକକ ଦିବ୍ୟାଙ୍ଗ ପରିଚୟ ପତ୍ର ବ୍ୟବହାର ହୋଇପାରିବ ।
ଗତ ୨ ତାରିଖରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି । ଏହା ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିଜ୍ଞାପନ ଛପା ହେଲେ ବିଜ୍ଞାପନରେ କୌଣସି ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କର ଫଟୋ ରହିବ ନାହିଁ କିମ୍ବା ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ନୂତନ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଏହି ସମୟ ମଧ୍ୟରେ ଜିଲ୍ଲାକୁ ମନ୍ତ୍ରୀମାନଙ୍କର ସରକାରୀ ଗସ୍ତ କରାଯାଇପାରିବ ନାହିଁ । ଭୋଟ୍ଗ୍ରହଣ ଦିନ ବୁଥ୍ ମଧ୍ୟରେ ବିଶୃଙ୍ଖଳା ଓ ବୁଥ୍ ଜବରଦଖଲ ଇତ୍ୟାଦିକୁ ରୋକିବା ଲାଗି ୫୦ ପ୍ରତିଶତ ବୁଥ୍ରେ ୱେବ୍କାଷ୍ଟିଂ କରାଯିବ । ନିର୍ବାଚନ ପ୍ର·ର ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ ବ୍ୟବହାର ଉପରେ ନିଷୋଧାଦେଶ ଜାରି କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ୩୦.୮୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି ।
ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ନିର୍ବାଚନର ଖର୍ଚ୍ଚର ଟିକ୍ନିଖ୍ ହିସାବ ରଖିବା ଲାଗି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପ୍ରାର୍ଥୀ ନିଜେ ଏବଂ ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବେ । ପାସ୍ବୁକ୍ର ଆକାଉଣ୍ଟ ନମ୍ବରକୁ ଲିଖିତ ଭାବେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବାକୁ ହେବ । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ଖବରକାଗଜ ଓ ଟିଭି ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବେ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ସେମାନଙ୍କର ସରକାରୀ ସାମାଜିକ ଗଣମାଧ୍ୟମ ଯଥା-ଫେସ୍ବୁକ୍ ଓ ଟୁଇଟର ମାଧ୍ୟମରେ ନିର୍ବାଚନ ପ୍ରଚାର ପ୍ରସାର କଲେ ତାହାର ଖର୍ଚ୍ଚ ସଂପର୍କରେ ପ୍ରାର୍ଥୀଙ୍କ ନିର୍ବାଚନ ହିସାବ ରେଜିଷ୍ଟରରେ ଥିବା କ୍ରମିକ ସଂଖ୍ୟା ୧୧ରେ ଲିପିବଦ୍ଧ କରି ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
ଏହି ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ବିଜେପିର ରମାରଞ୍ଜନ ବଳିୟାର ସିଂହ ଓ ଜୟନ୍ତ କୁମାର ଜେନା, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଜୟନ୍ତ ଦାଶ ଓ ସଂଘମିତ୍ରା ଜେନା, କଂଗ୍ରେସର ଶିବାନନ୍ଦ ରାୟ, ନେସ୍ନାଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ବିଜେଡିର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଏବଂ ଓଏସ୍ଡ଼ି ପ୍ରଫୁଲ୍ଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।