ଶ୍ରୀମନ୍ଦିରରେ ନୀଳାଦ୍ରି ମହୋଦୟ ନୀତି
ପୁରୀ (ବୁ୍ୟରୋ): ବୈଶାଖ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପ୍ରତିଷ୍ଠା ହୋଇଥିଲା ଶ୍ରୀମନ୍ଦିର । ଏହି ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ନୀଳାଦ୍ରି ମହୋଦୟଷ୍ଟମୀ । ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀଳାଦି୍ର ମହୋଦୟଷ୍ଟମୀ ନୀତି ପାଳିତ ହୋଇଛି । ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ବୈଶାଖ ଶୁକ୍ଲ ସପ୍ତମୀ ଅର୍ଥାତ୍ ରବିବାର ରାତିରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ନୀତି ବଢ଼ିବା ପରେ ଭୋଗମଣ୍ଡପ ଗୃହକୁ ଧୌତ କରାଯାଇଥିଲା । ଏକ ଚାନ୍ଦୁଆ ବନ୍ଧା ଯାଇଥିଲା । ୧୦୮ ଗରାରେ ପାଣି ଭର୍ତ୍ତି କରାଯାଇ ସେଥିରେ ସୁବାସିତ ଫୁଲ ପକାଇ ସରା ଘୋଡ଼ାଇ ଚାନ୍ଦ ତଳେ ଚାରିପନ୍ତି ରଖାଯାଇଥିଲା । ପଣ୍ଡା ଆସି ଉକ୍ତ ଜଳକୁ ଅଧିବାସ କରିଥିଲେ । ସୋମବାର ଶ୍ରୀମନ୍ଦିରରେ ଦ୍ୱାରଫିଟା ହୋଇ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା ।
ଭୋଗମଣ୍ଡପ ଓ ଆଲଟ ଲାଗି ହେବା ପରେ ଭିତରେ ପାଣି ପଡ଼ି ପୂଜାପାଠ ହୋଇଥିଲା । ଗରାବଡ଼ୁମାନେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହ ଅଧିବାସ ହୋଇଥିବା ଜଳଗରାମାନ ଚାରିଥରରେ ଆଣି ଚାରିପନ୍ତି କରି ରତ୍ନସିଂହାସନ ତଳେ ରଖିଥିଲେ । ପୂଜାପଣ୍ଡା ସାମନ୍ତ ଆସି ସଂସ୍କାର କରି ମହାପ୍ରଭୁଙ୍କୁ ଜଳଲାଗି ହୋଇଥିଲା । ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତେ ଘଟୁଆରୀ ଘରଠାରୁ ରୁପା ପିଙ୍ଗଣ ତିନୋଟିରେ ଚନ୍ଦନ ବିଜେ କରାଇ ଆଣି ରତ୍ନସିହାସଂନ ଉପରେ ସଂସ୍କାର କରାଇଥିଲେ । ପାଳିଆ ପୁଷ୍ପାଳକଙ୍କୁ ନେଇ ମହାପ୍ରଭୁଙ୍କୁ ଚନ୍ଦନ ସର୍ବାଙ୍ଗ କରାଯାଇଥିଲା । ରାମକୃଷ୍ଣ ଓ ମଦନମୋହନ ଦକ୍ଷିଣୀଘର ଭୋଗ ସାରି ସିଂହାସନକୁ ବିଜେ କରିଥିଲେ । ମୁଦିରସ୍ତେ ପ୍ରସାଦ ଲାଗି କରାଇଥିଲେ । ପୂଜାପଣ୍ଡା ସାମନ୍ତ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ । ପଣ୍ଡା ଆଜ୍ଞାମାଳ ଦେବାପରେ ଠାକୁରାଣୀ ଠାକୁର ଚନ୍ଦନ ଯାତ୍ରାକୁ ବିଜେ ହୋଇଥିଲେ । ଚନ୍ଦନ ଯାତ୍ରାରୁ ବାହୁଡ଼ା ବିଜେ ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ହୋଇ ରାତ୍ରପହୁଡ଼ ହୋଇଥିଲା ।
ଏସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ କୁହନ୍ତି, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ପାଳିତ ହୁଏ । ବୈଶାଖ ଶୁକ୍ଲ ଅଷ୍ଟମୀ ତିଥିରେ ନୀଳାଦ୍ରି ମହୋଦୟଷ୍ଟମୀ ତଥା ନୀଳାଦି୍ର ମହୋଦୟ ଯାତ୍ରା ପାଳିତ ହୋଇଥାଏ । ଏହା ମହାପ୍ରଭୁଙ୍କ ତ୍ରୟୋଦଶ ଯାତ୍ରା ଭାବେ ଅଭିହିତ । ଏହି ଦିବସକୁ ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ । ସ୍କନ୍ଦ ପୁରାଣ ଏବଂ ବାମଦେବ ସଂହିତା ଆଦି ଗ୍ରନ୍ଥରେ ନୀଳାଦ୍ରି ମହୋଦୟର ବିଶେଷତ୍ତ୍ୱ ଏବଂ ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା ରହିଛି ।