ଭାରତୀୟ ହକି ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୯ା୫ (ବୁ୍ୟରୋ): ଆସନ୍ତା ପୁରୁଷ ଏସିଆ କପ୍ ପାଇଁ ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୨୦ ଜଣିଆ ଟିମ୍ରେ ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି । ସେହିପରି ଏସିଆ କପ୍ ହକିରେ ଭାରତୀୟ ଟିମ୍ର ନେତୃତ୍ୱ ନେବେ ଅଭିଜ୍ଞ ରୂପିନ୍ଦର ପାଲ ସିଂହ ଏବଂ ଉପଅଧିନାୟକ ଭାବେ ବୀରେନ୍ଦ୍ର ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ବୀରେନ୍ଦ୍ର ଲାକ୍ରାଙ୍କ ବ୍ୟତୀତ ଭାରତୀୟ ଟିମ୍ରେ ଓଡ଼ିଶାର ଦୀପସାନ୍ ତିର୍କୀ, ନୀଲମ୍ ସଞ୍ଜୀବ ଖେସ୍ ଓ ଅଭିଷେକ ଲାକ୍ରା ରହିଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ମେ’ ୨୩ରୁ ଜୁନ୍ ୧ ତାରିଖ ଯାଏଁ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଏସିଆ କପ୍ ଅନୁଷ୍ଠିତ ହେବ । ଏହି ଅବସରରେ ବିଶ୍ୱକପ୍ ଯୋଗ୍ୟତା ପାଇଁ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ରହିବ । ଭାରତୀୟ ହକି ଦଳ ପୁଲ୍-ଏରେ ରହିଛି । ଏହି ପୁଲ୍ରେ ଭାରତ ବ୍ୟତୀତ ଜାପାନ, ପାକିସ୍ତାନ ଓ ଆୟୋଜକ ଇଣ୍ଡୋନେସିଆ ରହିଛି । ସେହିପରି ପୁଲ୍-ବି’ରେ ମାଲେସିୟା, କୋରିଆ, ଓମାନ ଓ ବାଂଲାଦେଶ ସ୍ଥାନ ପାଇଛି ।
ଅପରପକ୍ଷେ ଭାରତୀୟ ଟିମ୍ର ନିୟମିତ ଅଧିନାୟକ ମନପ୍ରୀତ ସିଂହ ଏସିଆ କପ୍ ଖେଳିବେ ନାହିଁ । ତେଣୁ ରୂପିନ୍ଦର ପାଲ୍ ସିଂହ ଭାରତର ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି । ସେହିପରି ଭାରତୀୟ ସିନିୟର ହକି ଟିମ୍ରେ ଏକାଥରକେ ୧୦ ଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଜୁନିୟର ବିଶ୍ୱକପ୍ ଖେଳିଥିବା ୟଶଦୀପ ସିୱାଚ, ଅଭିଷେକ ଲାକ୍ରା, ମନଜୀତ, ବିଷ୍ଣୁକାନ୍ତ ସିଂହ ଓ ଉତ୍ତମ ସିଂହ ରହିଛନ୍ତି । ଦଳରେ ନୂଆ ମୁହଁ ଭାବେ ଏମ୍ ଶକ୍ତିଭେଲ, ଏସ୍ ଗୌଡ଼ା ବିଏମ୍, ପବନ ରାଜବର, ଅବର୍ଣ୍ଣ ସୁଦେବ ଓ ଏସ୍ କାର୍ତ୍ତିକ ସ୍ଥାନ ପାଇଛନ୍ତି । ଗୋଲ୍ କିପର୍ ଭାବେ ପଙ୍କଜ କୁମାର ରଜକ ଓ ସୁରଜ କାରକେରା ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *