ଫେରିଲା ବୁଲ୍ଡୋଜର, ଉଡ଼ିଲା ତ୍ରିରଙ୍ଗା

ଶାହୀନବାଗ୍ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ
ନୂଆଦିଲ୍ଲୀ (ଏଜେନ୍ସି): ଜାହାଙ୍ଗୀରପୁରି ଭଳି ଶାହୀନବାଗ୍ରେ ମଧ୍ୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ଦିଲ୍ଲୀ ପ୍ରଶାସନ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ଶାହୀନବାଗ୍ ଅଞ୍ଚଳରେ ଦିଲ୍ଲୀ ପୌରନିଗମ (ଏମ୍ସିଡି) ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ପାଇଁ ଏମ୍ସିଡ଼ି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିପାରିନଥିଲା । ଉଚ୍ଛେଦ ପାଇଁ ଆସିଥିବା ଏକାଧିକ ବୁଲଡୋଜରଗୁଡ଼ିକ ବାଧ୍ୟହୋଇ ଫେରିଯାଇଥିବା ଜାଣିବାକୁ ମିଳିଛି । ଅନ୍ୟପକ୍ଷେ ବୁଲ୍ଡୋଜରଗୁଡ଼ିକ ଫେରିଯିବା ପରେ ସ୍ଥାନୀୟ ଲୋକେ ତ୍ରିରଙ୍ଗା ଉଡ଼ାଇବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଆସନ୍ତାକାଲି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏମ୍ସିଡି କହିଛି ।
ନାଗରିକତା ଆଇନ୍ ବିରୋଧୀ ପ୍ରଦର୍ଶନକୁ ନେଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିବା ଦକ୍ଷିଣ ଦିଲ୍ଲୀର ଶାହୀନବାଗ୍ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦିଲ୍ଲୀ ପୌରପାଳିକା ପକ୍ଷରୁ ଶାହୀନବାଗ୍ରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ସୋମବାର ଏକାଧିକ ବୁଲଡୋଜର ଆସି ପହଞ୍ଚôଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜୋରଦାର ବିରୋଧାଭାସ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ବିରୋଧ, ବିକ୍ଷୋଭ ଓ ନାରାବାଜି ମଧ୍ୟରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ପ୍ରତିବାଦକାରୀ ପୁରୁଷ ମହିଳାମାନେ ରାସ୍ତାରେ ଧାରଣାରେ ବସିଥିଲେ ଏବଂ ଉଚ୍ଛେଦ ଅଞ୍ଚଳକୁ ବୁଲଡୋଜରଗୁଡ଼ିକୁ ପ୍ରବେଶ କରିବାକୁ ଦେଇନଥିଲେ । ଅନ୍ୟପକ୍ଷେ ଏପ୍ରକାର ବିରୋଧାଭାସର ସମ୍ମୁଖୀନ ହେବା ପରେ ଦିଲ୍ଲୀ ପ୍ରଶାସନ ତଥା ପୌରପାଳିକା ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେପିକୁ କଂଗ୍ରେସ ଟାର୍ଗେଟ୍ କରିବା ଆରମ୍ଭ କରିଛି । ବିଜେପି ନିଦେ୍ର୍ଦଶରେ ଏସବୁ ହେଉଥିବା ଅଭିଯୋଗ କରିବା ପୂର୍ବକ କଂଗ୍ରେସ ନେତା ତଥା କର୍ମୀମାନେ ସ୍ଥାନୀୟ ଲୋକଙ୍କ ସହ ମିଶି ଦିଲ୍ଲୀ ପ୍ରଶାସନର ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିବା ଦେଖିବାକୁ ମିଳିଛି । ସେହିପରି ଦିଲ୍ଲୀରେ କ୍ଷମତାସୀନ ଥିବା ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିଧାୟକ ଅମାନୁତୁଲ୍ଲା ଖାନ୍ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳରେ ଜବରଦଖଲ ନଥିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିସାରିଥିବା ବେଳେ କେବଳ ହୀନ ରାଜନୀତି କରିବା ଲାଗି ଏଠାରେ ଜବରଦଖଲ ଉଚ୍ଛେଦର ନାଟକ କରାଯାଉଛି । ରିପୋର୍ଟ ଲେଖାହେବା ବେଳକୁ ଜବରଦଖଲ ଉଚ୍ଛେଦ ବିରୋଧରେ ପ୍ରତିବାଦ କରିଥିବାରୁ ଅମାନତୁଲ୍ଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି ।
ଏସବୁ ମଧ୍ୟରେ ଶାହୀନବାଗ୍ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ର୍ରକ୍ରିୟା ବିରୋଧରେ କମୁ୍ୟନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ-ଏମ୍) ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଛି । ତେବେ ସୁପ୍ରିମକୋର୍ଟ ଏହି ପିଟିସନ୍କୁ ଖାରଜ କରିଦେଇଛନ୍ତି । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ପକ୍ଷରୁ କୌଣସି ପିଟିସନ୍ ଦାୟର କରାଯାଇନଥିବା ବେଳେ ଏକ ରାଜନୈତିକ ଦଳ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହା ଠିକ୍ ନୁହେଁ । ଏସବୁ ରାଜନୈତିକ କାର୍ଯ୍ୟକଳାପ ପାଇଁ ନ୍ୟାୟପାଳିକାକୁ ମଞ୍ଚ କରିବା ଉଚିତ୍ ନୁହେଁ । ତେବେ ଉଚ୍ଛେଦ ପ୍ରକ୍ରିୟାରେ ସମ୍ଭାବିତ କ୍ଷତିଗ୍ରସ୍ତ ପୀଡ଼ିତମାନେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଲ ନାଗେଶ୍ୱର ରାଓ ଏବଂ ବିଆର ଗାଭାଇଙ୍କ ଖଣ୍ଡପୀଠ କହିଛନ୍ତି । ସୂଚନାଯୋଗ୍ୟ, ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ମାମଲାରେ ଆଗତ ଏକାଧିକ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଗ୍ରୀଷ୍ମ ଛୁଟି ପରେ ଏହି ମାମଲାରେ ଶୁଣାଣି ପାଇଁ କୋର୍ଟ ତାରିଖ ନିର୍ଘଣ୍ଟ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *