ଶ୍ରୀଲଙ୍କାରେ ଗୃହଯୁଦ୍ଧ!

କଲମ୍ବୋ, ୯ା୫: ଦେବାଳିଆ ହେବାକୁ ଯାଉଥିବା ଶ୍ରୀଲଙ୍କାରେ ଦେଶସାରା କର୍ଫୁ୍ୟ ଜାରି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ବିରୋଧୀଙ୍କ ଚାପରେ ସୋମବାର ଇସ୍ତଫା ଦେଇଛନ୍ତି । ୭୬ ବର୍ଷୀୟ ମହିନ୍ଦା ରାଜପକ୍ଷେ ଅବିଳମ୍ବେ ଇସ୍ତଫା ଦିଅନ୍ତୁ ବୋଲି ତାଙ୍କ ନିଜ ଦଳ ଶ୍ରୀଲଙ୍କା ପୋଦୁଜାନା ଟେରାମୁନା (ଏସ୍ଏଲ୍ପିପି) ପକ୍ଷରୁ ମଧ୍ୟ ଦାବି ଜୋରଦାର ହୋଇଥିଲା ।
ସେ ପଦତ୍ୟାଗ କରିବା ପରେ ପରେ ରାଜଧାନୀ କଲମ୍ବୋ ସମେତ ଦେଶର ବହୁ ଇଲାକାରେ ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଯାଇଛି । ସେଥିରେ ଶାସକ ଦଳର ସାଂସଦ ଅମରକୀର୍ତ୍ତି ଅଥୁକୋରଲା ଏବଂ ଅନ୍ୟ ତିନିଜଣଙ୍କର ମୃତୁ୍ୟ ଘଟିଛି । ହିଂସାକାଣ୍ଡରେ ଅତିକମ୍ରେ ୭୮ଜଣ ଲୋକ ଆହତ ହୋଇଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ ସାଂସଦ ଅମରକୀର୍ତ୍ତି ନାଲିବତୀ ଲାଗିଥିବା କାର୍ରେ ଗନର୍ ଓ ଡ୍ରାଇଭର ସହ ନିଟାମବୁୱାର ଏକ ରାସ୍ତାରେ ଯାଉଥିବା ବେଳେ ବିକ୍ଷୋଭକାରୀମାନେ ତାଙ୍କୁ ଘେରି ଯାଇଥିଲେ । ସାଂସଦ ରାଗିଯାଇ କାର୍ ଭିତରୁ ବାହାରି ଆସି ନିଜ ପିସ୍ତଲରୁ ଗୁଳିଚାଳନା କରିବା ଫଳରେ ଦୁଇଜଣ ଲୋକ ଗୁରୁତର ଭାବେ ଆହତ ହେଲେ । ଏହାପରେ ସାଂସଦ ସେଠାରୁ ଖସି ଯାଇ ଗୋଟିଏ କୋଠା ଭିତରେ ଛପିଗଲେ । କିଛି ସମୟ ପରେ ସେଠାରୁ ତାଙ୍କ ଶବ ମିଳିଲା । ତେଣୁ ତାଙ୍କ ମୃତୁ୍ୟର କାରଣ ସ୍ପଷ୍ଟ ହୋଇନାହିଁ । ବିକ୍ଷୋଭକାରୀମାନେ ପୂର୍ବତନ ମନ୍ତ୍ରୀ ଜନ୍ସଟନ୍ ଫର୍ଣ୍ଣାଣ୍ଡୋଙ୍କ ଭବ୍ୟ ପ୍ରସାଦ ଏବଂ ଅନ୍ୟଜଣେ ସାଂସଦଙ୍କ ବାସଗୃହକୁ ପୋଡ଼ି ଦେଇଛନ୍ତି ।
ମହିନ୍ଦାଙ୍କ ସାନଭାଇ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ରାଜଧାନୀ ସମେତ ପ୍ରମୁଖ ସହର ଗୁଡ଼ିକରେ ସେନା ମୁତୟନ କରିଛନ୍ତିି । ଇତିମଧ୍ୟରେ ବିରୋଧୀ ଦଳମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *