୯୨% ରୋଗୀ ସ୍ୱାସ୍ଥ୍ୟସେବାରେ ସନ୍ତୁଷ୍ଟ

ନବନିଯୁକ୍ତ ଡାକ୍ତର, ପାରାମେଡିକ୍ଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ
ଭୁବନେଶ୍ୱର (ବୁ୍ୟରୋ): ସ୍ୱାସ୍ଥ୍ୟସେବା ହେଉଛି ମୋ ସରକାର ସର୍ବୋଚ୍ଚ ପ୍ରାଥମିକତା । ଲୋକଙ୍କୁ ସୁଲଭ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମେ ନିରନ୍ତର ଉଦ୍ୟମ କରିଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟ ଇଏସ୍ଆଇ ହସ୍ପିଟାଲ୍ ଆଣ୍ଡ ଡିସ୍ପେନ୍ସାରୀରେ ନବନିଯୁକ୍ତ ଡାକ୍ତର ଓ ପାରାମେଡିକ୍ଙ୍କ ପାଇଁ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ରାଜ୍ୟ ଇଏସ୍ଆଇ ହସ୍ପିଟାଲ୍ ଆଣ୍ଡ ଡିସ୍ପେନ୍ସାରୀରେ ୫୫ ନୂଆ ଡାକ୍ତର ଏବଂ ୫୯ ପାରାମେଡିକ୍ ଯୋଗ ଦେଇଛନ୍ତି ।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଶେଷ କରି ସମସ୍ତ ୮ ଲକ୍ଷ ବୀମାଭୁକ୍ତ ଲୋକଙ୍କ ପାଇଁ ଏହା ହେଉଛି ଏକ ବଡ଼ ପଦକ୍ଷେପ । କେବିକେ ଏବଂ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ପ୍ରୋତ୍ସାହନ ଜରିଆରେ ଆଦିବାସୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପାଇଁ ମାନବ ସମ୍ବଳକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ବୀମାଭୁକ୍ତ ଲୋକଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ ପାଇଁ ଇଏସ୍ଆଇ ହସ୍ପିଟାଲ ଆଣ୍ଡ ଡିସ୍ପେନ୍ସାରୀ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
୫-ଟି ଓ ମୋ ସରକାର ପଦକ୍ଷେପ ଉପରେ ଆଲୋକପାତ କରି ଶାସନକୁ ରୂପାନ୍ତର ଓ ଲୋକଙ୍କୁ ସଶକ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆସିଥିବା ମତାମତ ଅନୁଯାୟୀ ୯୨ ପ୍ରତିଶତ ରୋଗୀ ସ୍ୱାସ୍ଥ୍ୟସେବା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଲୋକେ ଡାକ୍ତରଙ୍କୁ ସେମାନଙ୍କ ଜୀବନର ରକ୍ଷାକର୍ତ୍ତା ଭାବିଥାନ୍ତି । ତେଣୁ ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବା ପାଇଁ ନବନିଯୁକ୍ତ ଡାକ୍ତରମାନେ ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ସେ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରମ ଏବଂ ଇସ୍ଆଇ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଆଉ ୪ଟି ଇଏସ୍ଆଇ ହସ୍ପିଟାଲ ଏବଂ ୧୨ ଡିସପେନସାରୀ ଖୋଲିବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସ୍ୱାଗତ ଭାଷଣ ଦେଇଥିବାବେଳେ ଇଏସ୍ଆଇ ନିଦେ୍ର୍ଦଶକ ଧନ୍ୟବାଦ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *