ଦେଶଦ୍ରୋହ ଆଇନର ପୁନର୍ବିଚାର ହେବ
ଶୁଣାଣି ସ୍ଥଗିତ ରଖିବାକୁ କେନ୍ଦ୍ରର ନିବେଦନ
ନୂଆଦିଲ୍ଲୀ (ଏଜେନ୍ସି): ବି୍ରଟିଶ ସରକାର ସମୟରୁ ପ୍ରଚଳିତ ହୋଇଆସୁଥିବା ଦେଶଦ୍ରୋହ ଆଇନ୍ (ଆଇପିସି ଧାରା ୧୨୪ ଏ’) ଉପରେ ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ସତ୍ୟପାଠ ଦାଖଲ ମଧ୍ୟ କରାଯାଇଛି । ସତ୍ୟପାଠରେ ସମ୍ପ୍ରତି ସମଗ୍ର ଦେଶ ପାଳନ କରୁଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ର ମୂଳଭାବନା ଏବଂ ନାଗରିକ ସ୍ୱାଧୀନତା ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ ଦୃଷ୍ଟିରୁୂ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଦର୍ଶାଯାଇଛି । ଏତଦ୍ବ୍ୟତୀତ ଏଥିରେ କେନ୍ଦ୍ର ସରକାର ଯେଉଁ ପର୍ଯ୍ୟନ୍ତ ଏହି ମାମଲା ଉପରେ ଯାଞ୍ଚ କରାଇସାରିନାହାନ୍ତି, ସେପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ନକରିବାକୁ କୋର୍ଟଙ୍କୁ ଭାରତ ସରକାର ଅନୁରୋଧ କରିଛନ୍ତି ।
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ, ତୃଣମୂଳ ସାଂସଦ ମହୁଆ ମୋଇତ୍ରଙ୍କ ସମେତ ମୋଟ୍ ୫ ପକ୍ଷରୁ ଦେଶଦ୍ରୋହ ଆଇନ୍କୁ ଚ୍ୟାଲେଞ୍ଜ୍ କରାଯାଇଥିଲା । ଏଥିରେ ଆବେଦନକାରୀମାନେ ବର୍ତ୍ତମାନର ସମୟରେ ଏପ୍ରକାର ଆଇନ୍ର କୌଣସି ଆବଶ୍ୟକତା ନଥିବା ଦର୍ଶାଇବା ସହ ଏହା ଉପରେ କେନ୍ଦ୍ର ପୁନର୍ବିଚାର କରୁ ବୋଲି ଦାବି କରିଥିଲେ । ପ୍ରକାଶ, ଏପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାରେ ସିଜେଆଇ (ପ୍ରଧାନ ବିଚାରପତି) ଜଷ୍ଟିସ୍ ଏନ୍ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ କରୁଛନ୍ତି । ସିଜେଆଇଙ୍କ ବ୍ୟତୀତ ଅନ୍ୟ ଦୁଇ ବିଚାରପତି ହେଲେ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତ୍ରିପାଠୀ ମଧ୍ୟ ସାମିଲ ଅଛନ୍ତି । ସୂଚନାଯୋଗ୍ୟ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିବା ବରିଷ୍ଠ ଓକିଲ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍ଙ୍କ କହିବାନୁସାରେ ଦେଶଦ୍ରୋହ ଆଇନ୍ର ଉପଯୋଗ କେବଳ ନିରୀହ ସାମ୍ବାଦିକ, ଆକ୍ଟିଭିଷ୍ଟ ଏବଂ ବିରୋଧୀ ରାଜନେତାମାନଙ୍କ ବିରୋଧରେ କରାଯାଉଛି, ଯାହାଦ୍ୱାରା ଏମାନେ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ । ତେବେ ଏହା ଏକ ବ୍ରିଟିଶ ସରକାର ସମୟର ଆଇନ୍ ହୋଇଥିବାରୁ ସାମ୍ପ୍ରତିକ ସ୍ଥିତିରେ ଏହାର କୌଣସି ଆବଶ୍ୟକତା ନାହିଁ ।
ଗତ ଗୁରୁବାର ସୁପ୍ରିମକୋର୍ଟ, ଦେଶଦ୍ରୋହ ଆଇନ୍କୁ ଉଚ୍ଛେଦ ବା ସମାପ୍ତ କରାଯିବା ଉଚିତ୍ ଦର୍ଶାଇବା ପୂର୍ବକ କରାଯାଇଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରିଥିଲେ । ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆଇନ୍କୁ ଉଚ୍ଛେଦ ନକରିବାକୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହି ଆଇନ୍କୁ ସଂଶୋଧନ କରିବା ଉପରେ କେନ୍ଦ୍ର ସରକାର ନିଜ ଯୁକ୍ତି ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁୂସାରେ, ପୁରୁଣା ଆଇନ୍ଗୁଡ଼ିକର ସମୀକ୍ଷା କରିବା ଏବଂ ସେସବୁକୁ ଉଚ୍ଛେଦ କରିବା ଏକ ବିଳମ୍ବିତ ପ୍ରକ୍ରିୟା । ଭାରତ ସରକାର ୨ଠ୧୪-୧୫ରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୫ଠଠ ଅଦରକାରୀ ଆଇନ୍ (ବ୍ୟବହାର ହେଉନଥିବା)କୁ ଉଚ୍ଛେଦ କରିସାରିଛନ୍ତି । ଏସବୁ ମଧ୍ୟରେ କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ୍ର ଅପବ୍ୟବହାର କରୁଥିବା ନେଇ ମଧ୍ୟ ସମୟେ ସମୟେ ଅଭିଯୋଗ ହୋଇଆସିଛି । ତେବେ ସାମ୍ପ୍ରତିକ ସ୍ଥିତିରେ ଏପ୍ରକାର ଏକ ଆଇନ୍ର ଆବଶ୍ୟକତା ସମ୍ପର୍କରେ ମୂଲ୍ୟାଙ୍କନ କରିବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଦଶକ୍ରମେ ଗ୍ରହଣ କରାଯାଇଛି ।