ବିଜୟ ଦିବସ ପାଳିଲା ରୁଷ୍

ମସ୍କୋ (ଏଜେନ୍ସି): ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍ ସୋମବାର ୭୭ତମ ବିଜୟ ଦିବସ ପାଳନ କରିଛି । ଏହି ଦିନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ବିରୋଧରେ ସୋଭିଏତ୍ ସଂଘର ବିଜୟ ହୋଇଥିବାରୁ ରୁଷ୍ ପ୍ରତିବର୍ଷ ମେ ୯ରେ ବିଜୟ ଉତ୍ସବ ପାଳନ କରିଆସୁଛି । ସୋଭିଏତ୍ ନେତା ଷ୍ଟାଲିନ୍ ମେ’ ୯କୁ ବିଜୟ ଦିବସ ଭାବେ ଅଭିହିତ କରିଥିଲେ । କାରଣ ଏହି ଦିନ ବର୍ଲିନ ସଂପୂର୍ଣ୍ଣ ଭାବେ ସୋଭିଏତ୍ ସେନା ନିୟନ୍ତ୍ରଣକୁ ଆସିଯାଇଥିଲା । ତେବେ ଏହି ଅବସରରେ ଆୟୋଜିତ ପ୍ୟାରେଡ୍ ସମାରୋହକୁ ସମ୍ବୋଧିତ କରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଦେଇଥିବା ସମ୍ବୋଧନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ପୁତିନ୍ ପ୍ୟାରେଡ୍ ସମାରୋହକୁ ସମ୍ବୋଧିତ କରିବା ଅବସରରେ ୟୁକ୍ରେନ ସହ ଯୁଦ୍ଧକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ହୋଇଥିବା ସୋଭିଏତ ସଂଘର୍ଷ ସହ ତୁଳନା କରିଛନ୍ତି । ପୁତିନ୍ଙ୍କ କହିବାନୁସାରେ ୟୁକ୍ରେନ ବିରୋଧରେ ରୁଷ୍ର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଏକ ସମୟୋଚିତ ପଦକ୍ଷେପ । ଏହା ଦ୍ୱାରା ପାଶ୍ଚାତ୍ୟ ନୀତିକୁ ଠିକ୍ ସମୟରେ ଉଚିତ୍ ଜବାବ ଦିଆଯାଇପାରିଛି । ତେବେ ୟୁକ୍ରେନ୍ ସହ ଯୁଦ୍ଧ ପାଇଁ ପୁତିନ୍ ସିଧାସଳଖ ନାଟୋ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର ହୀନ କୂଟନୀତିକୁ ଦୋଷାରୋପ କରିଛନ୍ତି । ପୁତିନ୍ଙ୍କ କହିବାନୁସାରେ ନାଟୋ, ବାସ୍ତବରେ ରୁଷ୍ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଏଥିପାଇଁ ୟୁକ୍ରେନ୍କୁ ନାଟୋ ମୋହରା ସଜାଇଥିଲା । ତେବେ ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣ କରି ନାଟୋର ଏହି ମନ୍ଦ ଉଦେ୍ଦଶ୍ୟକୁ ଧୂଳିସାତ୍ କରିଦେଇଛି । ରୁଷ୍ ସୀମାରେଖାରେ ନାଟୋ ବିପଦ ସୃଷ୍ଟି କରିବାରେ ଲାଗିଛି । ୟୁୂକ୍ରେନ୍ ସହ ଯେପରି ଅଧିକ ଦିନ ଯୁଦ୍ଧ ଜାରି ରୁହେ ସେଥିପ୍ରତି ନାଟୋ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁୂଡ଼ିକ ଅନବରତ ଚେଷ୍ଟା କରୁଛନ୍ତି । ଏହି ଅବସରରେ ପୁତିନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସହିଦ୍ ହୋଇଥିବା ସହିଦ୍ ତଥା ୟୁକ୍ରେନ୍ ସହ ଯୁଦ୍ଧରେ ସହିଦ୍ ହୋଇଥିବା ନିଜ ସେନା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରକାଶ, ପୁତିନ୍ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, ୟୁକ୍ରେନ୍ର ସାମରିକ ଶକ୍ତିକୁ ସଂପୂର୍ଣ୍ଣ ନଷ୍ଟ କରିଦିଆଯିବ ଏବଂ ଏହାକୁ ନାଜି ପ୍ରଭାବରୁ ମୁକ୍ତ ରଖାଯିବ । ଏବେ ୟୁକ୍ରେନ୍ର ଡୋନେସ୍କ ଏବଂ ଲୁହାଂସ୍କ ପ୍ରଦେଶର ପ୍ରଶାସନକୁ ରୁଷ୍ ସେନା ନିଜ ନିୟନ୍ତ୍ରଣକୁ ନେବା ଆରମ୍ଭ କରିଥିବା ବେଳେ ଅନେକ ସହରରେ ରୁଷ୍ ମୁଦ୍ରା ପ୍ରଚଳନ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *