ତଟୀୟ ଇଲାକାରେ ହାଇ ଆଲର୍ଟ

ପୁରୀ (ବୁ୍ୟରୋ): ଓଡ଼ିଶାରେ ବାତ୍ୟା ‘ଅସାନୀ’ର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି । ବିଶେଷ କରି ରାଜ୍ୟର ୪ ଜିଲ୍ଲା, ଯଥା- ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ଅସାନୀର ବ୍ୟାପକ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସେଥିଲାଗି ଏହିସବୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, କୋଣାର୍କ, ଅସ୍ତରଙ୍ଗ ଆଦି ସମୁଦ୍ର ତଟବର୍ତ୍ତୀ ଇଲାକାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅସାନୀ ପ୍ରଭାବରୁ ସୋମବାର ସନ୍ଧ୍ୟାରୁ ପୁରୀରେ ବର୍ଷା ଆରମ୍ଭ ହୋଇଛି । ସୋମବାର ଓଡ୍ରାଫ ଟିମ୍ ପୁରୀରେ ପହଞ୍ଚି ସାରିଛନ୍ତି । ପୁରୀ ସହରରେ ଏକ ଟିମ୍ ରହିଥିବା ବେଳେ କୃଷ୍ଣପ୍ରସାଦ ବ୍ଲକ୍ ଲାଗି ଏକ ଟିମ୍, ସାତପଡ଼ା ଲାଗି ଏକ ଟିମ୍, କୋଣାର୍କ ଓ ଅସ୍ତରଙ୍ଗ ବ୍ଲକ୍ ଲାଗି ଓଡ୍ରାଫ୍ ଟିମ୍ ପହଞ୍ଚି ପ୍ରସ୍ତୁତ ରହିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ । ସେହିଭଳି ଆଜିଠାରୁ ବେଳାଭୂମିରେ ପର୍ଯ୍ୟଟକମାନେ ସ୍ନାନ କରିବାକୁ ବାରଣ କରାଯାଇଛି । ବାତ୍ୟା ଲାଗି ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରଶାସନ ପକ୍ଷରୁ ଲାଇଫଗାର୍ଡମାନଙ୍କୁ ବେଳାଭୂମିରେ ମୁତୟନ କରାଯାଇ ପର୍ଯ୍ୟଟକଙ୍କୁ ସ୍ନାନ କରିବା ଲାଗି ବାରଣ କରୁଛନ୍ତି । ତତ୍ସହିତ ପ୍ରଶାସନ ପକ୍ଷରୁ ପ୍ରଥମ କରି ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତି ଅଞ୍ଚଳର ଲୋକଙ୍କୁ ତାଙ୍କ ବାସସ୍ଥାନରେ ନ ରହି ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦେଇଛି ପ୍ରଶାସନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ତଳିଆ ଅଞ୍ଚଳ ଓ ପେଣ୍ଠକଟା ନୋଳିଆ ବସ୍ତି ବାସିନ୍ଦାଙ୍କ ସୁରକ୍ଷିତ ରହିବା ବ୍ୟବସ୍ଥା କରିବା ସହ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଜାରି କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର କୋଣାର୍କ, ଅସ୍ତରଙ୍ଗ, ସାତପଡ଼ା, କୃଷ୍ଣପ୍ରସାଦରେ ବ୍ୟାପକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବାତ୍ୟା ହେଲେ ବା ପ୍ରବଳ ବର୍ଷା ହେଲେ ସେମାନଙ୍କୁ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ପାନୀୟ, ବିଦୁ୍ୟତ୍, ଔଷଧ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ । ଯେପରି ଭାବରେ ତାଙ୍କର ରହିବା ସମୟରେ ସେମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକ ସୁବିଧା ସ୍ଥାନକୁ ସ୍ଥାନାନ୍ତର କରାଯିବ ।
ଗତ ୨ବର୍ଷ ତଳେ ଫନି, ପରେ ବୁଲ୍ବୁଲ୍, ଅମ୍ପାନ ତାଣ୍ଡବ ରଚିଥିଲା । ଫଳରେ ଯାହାର ତାଣ୍ଡବରେ ସହର ସହିତ ଜିଲ୍ଲା ଧ୍ୱଂସ ହୋଇଯାଇଥିଲା । ସେହି ଦୃଶ୍ୟ କାହା ମନରୁ ନ ଲିଭୁଣୁ ପୁଣି ବାତ୍ୟା ହେବ ଖବର ଶୁଣିବା ସମେତ ପୁଣି ବର୍ଷା ଦେଖି ଜିଲ୍ଲାବାସୀଙ୍କ ସମେତ ବସ୍ତିବାସିନ୍ଦା ଓ ତଳିଆ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସୂଚନାଥାଉକି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପୁରୀରେ ବର୍ଷା ହେବା ସହ ଦିନ ତମାମ କୋହଲା ପାଗ ରହିଛି । ଅନ୍ୟପକ୍ଷରେ ସମୁଦ୍ରର ରୂପରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ପାଣିପାଗ ସୂଚନା ଅନୁଯାୟୀ ମଙ୍ଗଳବାର ଠାରୁ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ତତ୍ସହିତ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଇଛି । ସେହିପରି ବାଲୁଖଣ୍ଡ, ଅସ୍ତରଙ୍ଗ, ବ୍ରହ୍ମଗିରି ଓ କାକଟପୁୂରରେ ବନବିଭାଗ ପକ୍ଷରୁ ୮ଟି ଟିମ୍ ମୁତୟନ କରାଯାଇଛି । ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ ପଡ଼ିବା ଦ୍ୱାରା ରାସ୍ତା ଅବରୋଧ ହଟାଇବା ନିମନ୍ତେ ଜେସିବି ଓ ଟ୍ରାକ୍ଟର ମୁତୟନ କରାଯିବ । ବିଶେଷ ଭାବେ ବିଦୁ୍ୟତ୍ ମରାମତି ଲାଗି ୨୦୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ମୁତୟନ କରାଯିବ । ଏହି ଅବସରରେ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ରଙ୍କ ସମେତ ଭର୍ଚୁଆଲ୍ ମୋଡ୍ରେ ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲ୍ଦାରମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *