ପୁଲିସ୍ ମାଡ଼ରେ ଯୁବକଙ୍କ ମୃତୁ୍ୟ: ଥାନା ଘେରାଉ

ବାରିପଦା (ଆପ୍ର): ସୁନା ଗହଣା ଲୁଟ୍ ଘଟଣାରେ ଉଦଳା ପୁଲିସ ଦ୍ୱାରା ଗିରଫ ଜଣେ ଯୁବକଙ୍କ ଗତକାଲି ଥାନା ହାଜତରେ ସନେ୍ଦହଜନକ ମୃତୁ୍ୟ ହୋଇଛି । ଏହି ଘଟଣାରେ ଉଦଳା ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତ ଯୁବକଙ୍କ ପରିବାର ଲୋକେ ପୁଲିସ ମାଡ଼ରେ ପ୍ରଦୀପର ମୃତୁ୍ୟ ହୋଇଥିବା ଅଭିଯୋଗ କରି ଉଦଳା ଥାନା ଘେରାଉ କରିଥିବା ଜଣାପଡ଼ିଛି । ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳ ମନ୍ଦାରପୁର ଗ୍ରାମର ପ୍ରଦୀପ ଦାସ (୨୭) । ତେବେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଉଦଳା ଥାନା ଓ ଉଦଳା ବଡ଼ ଡାକ୍ତରଖାନାରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ପ୍ରକାଶ ଯେ, ଗତ ଜାନୁଆରୀ ମାସ ୧୯ ତାରିଖରେ ଉଦଳା ସହର ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା ନିରଞ୍ଜନ ସାହୁଙ୍କ ପରିବାର ଲୋକଙ୍କଠାରୁ ସୁନା ଗହଣା ସଫା କରିବା ଆଳରେ ଦୁଇ ଜଣ ଯୁବକ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଇଥିଲେ । ଏହି ଘଟଣାରେ ଉଦ୍ଳା ଥାନାରେ କେସ ନଂ ୨୦/୨୦୨୨ରେ ମାମଲା ପଞ୍ଜିକୃତ ହୋଇଛି । ତଦନ୍ତ ଚାଲିଥିବା ବେଳେ ଉଦଳା ପୁଲିସ ଗତ ଶନିବାର ରାତିରେ ଅଭିଯୁକ୍ତ ପ୍ରଦୀପଙ୍କୁ ରେମୁଣା ଅଞ୍ଚଳରୁ ଗିରଫ କରିଥିଲା । ତେବେ ଗତକାଲି ଦିନ ୨ଟାରେ ହାଜତରେ ଥିବା ପ୍ରଦୀପ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ପ୍ରଦୀପର ଡାକ୍ତରଖାନାରେ ମୃତୁ୍ୟ ହୋଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ମୃତ ଯୁବକଙ୍କ ଗ୍ରାମରୁ ଶତାଧିକ ଗ୍ରାମବାସୀ ଓ ପରିବାର ବର୍ଗ ପୁଲିସ ମାଡ଼ରେ ପ୍ରଦୀପର ମୃତୁ୍ୟ ହୋଇଥିବା ଅଭିଯୋଗ କରି ଗତକାଲି ସନ୍ଧ୍ୟାରୁ ରାତି ୯ଟା ପର୍ଯ୍ୟନ୍ତ ଥାନା ଘେରାଉ କରିଥିଲେ । ଏହି ଘଟଣାରେ ଅତିରିକ୍ତ ଜିଲ୍ଲାପାଳ ଏକ ଡାକ୍ତର ଦଳ ସହାୟତାରେ ଉଦଳା ଡାକ୍ତରଖାନାରେ ମୃତ ପ୍ରଦୀପଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ବୁଝାସୁଝା କରି ଶବ ଅନ୍ତିମ ସକ୍ରାର କରିବା ସକାଶେ ନିଜ ଗ୍ରାମ ମନ୍ଦାରପୁର ଗ୍ରାମକୁ ପଠାଇଥିଲେ । ପରେ ପ୍ରଶାସନିକ ହସ୍ତକ୍ଷେପ ଏବଂ ମୃତ ଯୁବକଙ୍କ ବିଧବା ପତ୍ନୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଥଇଥାନର ପ୍ରତିଶ୍ରୁତି ଦେବା ପରେ ଥାନା ଘେରାଉ ପ୍ରତ୍ୟାହୃତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *