୧୩ ବର୍ଷ ପରେ ରାୟ
ଦୁଇ ଜଣଙ୍କୁ ୧୪ ବର୍ଷ ଜେଲ୍, ୧୫ ହଜାର ଜରିମାନା
ଜଗତସିଂହପୁର (ଆପ୍ର): ତିର୍ତୋଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଏସିଡ ମାଡ଼ ମାମଲାର ରାୟ ୧୩ ବର୍ଷ ମିଳିଛି । ସୋମବାର ଅତିରିକ୍ତ ଦୌରାଜଜ୍ ଓ ମହିଳା କୋର୍ଟର ବିଚାରପତି ରସ୍ମିତା ସାହୁ ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ (୩୯) ଓ ଅନିଲ ଓରଫ ବିଶ୍ୱଜିତ୍ ଦଳସିଂହରାୟ (୩୨)ଙ୍କୁ ୧୪ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ ଭୋଗିବାକୁ ହେବ ବୋଲି କୁହାଯାଇଛି ।
ଏକତରଫା ପ୍ରେମକୁ ନେଇ ଅପ୍ରେଲ ୧୮, ୨୦୦୯ ସଂଧ୍ୟା ୭.୧୫ରେ ତିର୍ତୋଲ ଥାନା କନକପୁର ଶାସନ ଗ୍ରାମର ସ୍ୱର୍ଗତ ଅନନ୍ତ ରାଉଳଙ୍କ ନାବାଳିକା କନ୍ୟା ସିନୁ ଓରଫ ପ୍ରମୋଦିନୀ ରାଉଳଙ୍କ ଉପରେ ଅନିଲ ଓ ସନ୍ତୋଷ ଏସିଡ୍ ଫିଙ୍ଗିଥିଲେ । ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ୧୮ଜଣଙ୍କ ସାକ୍ଷ୍ୟ ପ୍ରମାଣଙ୍କୁ ଭିତ୍ତି କରି ଦଣ୍ଡାଦେଶ କରାଯାଇଛି । ସେଥିମଧ୍ୟରେ ୩୦୭ ଦଫାରେ ୯ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ମାସ ଜେଲ, ୩୨୬ ଦଫା ନିମନ୍ତେ ୫ବର୍ଷ ଜେଲ ସହିତ ୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅତିରିକ୍ତ ସରକାରୀ ଓକିଲ (ଏପିପି) କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଘଟଣାଦିନ ସିନୁ ସାନଭାଇ ସହିତ ମାଉସୀ ଘରୁ ଫେରୁଥିବାବେଳେ କନକପୁର ଟେଲିଫୋନ ଏକ୍ସଚେଞ୍ଜ ଆଗରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯୋରଗାଡିଆ ଗ୍ରାମର ଅଭିରାମ ବେଦାନ୍ତଙ୍କ ପୁଅ ସନ୍ତୋଷ ଓ ତା’ ସାଙ୍ଗ ତଥା ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡର ରମେଶ ଦଳସିଂହରାୟଙ୍କ ପୁଅ ଅନିଲ ବାଇକ୍ରେ ଆସି ଏସିଡ୍ ପକାଇ ଫେରାର ହୋଇ ଯାଇଥିଲେ । ସିନୁ ଗୁରୁତର ହୋଇ ଦୀର୍ଘଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ । ହେଲେ ତାଙ୍କ ଚେହେରା କଦାକାର ହୋଇ ଯାଇଥିଲା । ସିନୁଙ୍କ ମା କବିତା ୨୯ ଏପ୍ରିଲ୍ ୨୦୦୯ରେ କନକପୁର ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ କୌଣସି ପ୍ରମାଣ ନ ପାଇବାରୁ ୨୦୧୨ରେ ମାମଲା ବନ୍ଦ ହୋଇଯାଇଥିଲା । ସିନୁ ତକ୍ରାଳୀନ ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ । ଉକ୍ତ ଦୁଇ ଅଧିକାରୀଙ୍କ ଉଦ୍ୟମରେ ଏସ୍ଡିଜେଏମ୍ ମାମଲାର ପୁନର୍ବିଚାର କରିଥିଲେ ।