ଅତିରିକ୍ତ ତହସିଲଦାର ଓ ଆର୍ଆଇଙ୍କ ଉପରେ ଆକ୍ରମଣ
ଗଞ୍ଜାମ, ୮ା୫(ଆପ୍ର): ଋଷିକୁଲ୍ୟାରୁ ଚାଲିଥିବା ବେଆଇନ ବାଲି ଚାଲାଣ ରୋକିବାକୁ ଯାଇ ବାଲି ମାଫିଆଙ୍କ ଆକ୍ରମଣ ଓ ଲୁଟ୍ପାଟର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର ଏବଂ ୩ ଆର୍ଆଇ । ବାଲି ମାଫିଆ ପିସ୍ତଲ ଦେଖାଇ ସେମାନଙ୍କଠାରୁ ମୁଦି, ସୁନା ଚେନ, ମୋବାଇଲ ଓ ପର୍ସ ଛଡ଼େଇ ନେଇଥିବା ଅଭିଯୋଗ ହୋଇଛି ।
ଗଞ୍ଜାମ ତହସିଲ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ବେଆଇନ ବାଲି ଚାଲାଣ ଖବର ପାଇ ଗତ ବିଳମ୍ବିତ ରାତିରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆର୍ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଚଢ଼ଉ କରିବା ସମୟରେ ୪ ଜଣ ବାଲି ମାଫିଆଙ୍କ ଆକ୍ରମରର ଶିକାର ହୋଇଥିଲେ । ମାଫିଆମାନେ ପିସ୍ତଲ ଦେଖାଇ ଲୁଟପାଟ କରିଥିଲେ ଏବଂ ଜୀବନ ବଞ୍ଚାଇବା ପାଇଁ ଅତିରିକ୍ତ ତହସିଲଦାର ଓ ଆର୍ଆଇମାନେ ଦୌଡ଼ି ପଳାଇ ଆସିଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।
ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ପି.ସ୍ୱରୂପ କିଷନ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ପୁଲିସ ପକ୍ଷରୁ ୬୯/୨୨ରେ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି । ସୂଚନାଯୋଗ୍ୟ, ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରୁ ରାତିରେ ବେଆଇନ ଭାବେ ବାଲିଚୋରା ଚାଲାଣ ଚାଲିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କଡ଼ା ପଦକ୍ଷେପ ନିଆଯାଉ ନ ଥିବାରୁ ବାଲି ମାଫିଆମାନେ ନିର୍ଭୟରେ ବାଲି ଚାଲାଣ କରି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି ।