ସ୍କୁଲ ଉପରେ ରୁଷ୍ର ବୋମାମାଡ଼, ୬ଠ ମୃତ
ବେରସ୍ତୋଭ (ୟୁକ୍ରେନ), ୮ା୫: ରୁଷିଆ ଆକ୍ରମଣରେ ୟୁକ୍ରେନରେ ମାରିପୋଲ ସମେତ ବହୁ ବଡ଼ ବଡ଼ ସହର ଧ୍ୱଂସ ପାଇଯାଇଥିବା ବେଳେ ପୂର୍ବ ୟୁକ୍ରେନର ଏକ ସ୍କୁଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି । ଲୁହାନ୍ସ ଅଞ୍ଚଳର ଗଭର୍ଣ୍ଣର ସେରି ହାଇଦାଇଙ୍କ ସୂଚନା ଅନୁଯାୟୀ ବିଲୋହୋରିହା ଗ୍ରାମସ୍ଥିତ ସ୍କୁଲ ଉପରେ ଆକ୍ରମଣ ହେବାରୁ ଅନୁ୍ୟନ ୬ଠ ଜଣ ପ୍ରାଣ ହରାଇଛନ୍ତି ଓ ୧ଠ ଜଣ ଆହତ ହୋଇଛନ୍ତି । ଯୁଦ୍ଧ ବିଧ୍ୱସ୍ତ ପୂର୍ବ ୟୁକ୍ରେନର ସାଧାରଣ ଲୋକଙ୍କୁ ଏହି ସ୍କୁଲରେ ଆଶ୍ରୟ ଦିଆଯାଇଥିଲା ।
ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ରୁଷ୍ ବିମାନବାହିନୀ ସ୍କୁଲ ଉପରେ ଆଖିବୁଜା ବୋମାମାଡ଼ କରିଥିଲା । ସ୍କୁଲ ସମ୍ପୂର୍ଣ୍ଣ ରୂପେ ଧୂଳିସାତ ହୋଇଯାଇଥିବା ବେଳେ ଏହାର ଭଙ୍ଗାରୁଜା ଅଂଶ ତଳେ ଆହୁରି ଅନେକ ଫସି ରହିଥିବା କୁହାଯାଇଛି ।
ଉଦ୍ଧାରକାରୀ ଦଳ ଫସି ରହିଥିବା ମୃତାହତମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ବୋମାମାଡ଼ରେ ସ୍କୁଲରେ ନିଅାଁ ଲାଗିଯାଇଥିଲା । ରବିବାର ରୁଷ୍ ଏବଂ ୟୁକ୍ରେନ୍ ସେନାଙ୍କ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ବିଲୋହୋରିହା ନିକଟସ୍ଥ ଅଞ୍ଚଳରେ ସେଲ୍ ପଡ଼ି ରହିଥିବା ଦେଖିବାକୁ ମିଳିଛି । ରୁଷୀୟ ଗଣତନ୍ତ୍ର ଚେଚେନ୍ୟାର ମୁଖ୍ୟ କହିଛନ୍ତି ଯେ ପୂର୍ବ ୟୁକ୍ରେନର ପୋପାସ୍ନା ସହର ସମ୍ପୂର୍ଣ୍ଣ ରୂପେ ରୁଷ୍ ସେନା ଦଖଲରେ ରହିଛି । ତେବେ ଏହାକୁ ୟୁକ୍ରେନ ପକ୍ଷରୁ ଅସ୍ୱୀକାର କରାଯାଇଛି ।
ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି ଦେଶବାସୀଙ୍କୁ ଭାବବିହ୍ୱଳିତ ସ୍ୱରରେ ଉଦ୍ବୋଧନ ଦେଇ ଦୁଷ୍ଟଶକ୍ତିର ପୁନରୁତ୍ଥାନ ଘଟିଛି । ଏଥିପ୍ରତି ସଜାଗ ରହିବାକୁ ସେ ଆହ୍ୱାନ କରିଛନ୍ତି । ରୁଷ୍ ବିଜୟ ଦିବସ ପାଳନ କରିବା ପୂର୍ବରୁ ରବିବାର ଜି-୭ ବୈଠକ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇ ୟୁକ୍ରେନ ପରିସ୍ଥିତି ଉପରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି ।